ମାଣ୍ଡିଆ ଚାଷର ପୁନରୁଦ୍ଧାର ଜୀବିକାର୍ଜନ କ୍ଷେତ୍ରରେ ସୃଷ୍ଟି କରିଛି ନୂଆ ସମ୍ଭାବନା
ଓଡ଼ିଶା ମିଲେଟ୍ ମିଶନ୍' ପ୍ରତିଷ୍ଠା ନୂଆ ସୁଯୋଗ ସୃଷ୍ଟି କରିଛି । 'ଓଡ଼ିଶା ମିଲେଟ୍ ମିଶନ୍'ର ମାର୍ଗଦର୍ଶନରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ମାଣ୍ଡିଆର ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହ ଆଗେଇ ଚାଲିଛି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ସମୟୋପଯୋଗୀ ପଦକ୍ଷେ ଫଳରେ ରାଜ୍ୟରେ ମାଣ୍ଡିଆ ଚାଷର ଅଭ୍ୟୁଦୟ ପାଇଁ 'ଓଡ଼ିଶା ମିଲେଟ୍ ମିଶନ୍' ପ୍ରତିଷ୍ଠା ନୂଆ ସୁଯୋଗ ସୃଷ୍ଟି କରିଛି । 'ଓଡ଼ିଶା ମିଲେଟ୍ ମିଶନ୍'ର ମାର୍ଗଦର୍ଶନରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ମାଣ୍ଡିଆର ପୁନରୁଦ୍ଧାର କାର୍ଯ୍ୟ ସଫଳତାର ସହ ଆଗେଇ ଚାଲିଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ଜନଜାତି ଖାଦ୍ୟ ପରମ୍ପରାରେ 'ମାଣ୍ଡିଆ' ପ୍ରମୁଖ ଅଙ୍ଗ ହୋଇ ରହିଥିଲା । ଏହି ପୁଷ୍ଟିଶସ୍ୟ ଜନଜାତି ସଂସ୍କୃତି ସହିତ ଜଡ଼ିତ । ବଣ ପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଜନଜାତି ସଂପ୍ରଦାୟର ଚାଷୀମାନଙ୍କ ଖାଦ୍ୟ, ପୁଷ୍ଟି ଏବଂ ଆୟର ସୁରକ୍ଷା ଯୋଗାଇବାରେ ଏହା ବେଶ୍ ମହତ୍ତ୍ୱ ରଖେ ।
ଏହି ପୁଷ୍ଟିଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ ପଦ୍ଧତି ପ୍ରସ୍ତୁତ କରିବା, ସାମୂହିକ ଚାଷ ଓ ବଜାରକୁ ପ୍ରୋତ୍ସାହନ ଯୋଗାଇବା ଏବଂ ଏହି ପୁଷ୍ଟିଶସ୍ୟକୁ ରାଜ୍ୟ ପୋଷଣ କାର୍ଯ୍ୟକ୍ରମ ଓ ସାଧାରଣ ବିତରଣ ପ୍ରଣାଳୀରେ ଅନ୍ତର୍ଭୁକ୍ତ କରିବା ଉଦ୍ଦେଶ୍ୟରେ 'ଓଡ଼ିଶା ମିଲେଟ୍ ମିଶନ' ପ୍ରତିଷ୍ଠା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୮ଟି ପୁଷ୍ଟିଶସ୍ୟକୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ ସେଥି ମଧ୍ୟରୁ ମାଣ୍ଡିଆ ଅନ୍ୟତମ । ମାଣ୍ଡିଆ ଚାଷ ପାଇଁ କମ ଜଳର ଆବଶ୍ୟକତା ଏବଂ ଆଞ୍ଚଳିକ ଜଳବାୟୁ ଓ ପାଣି ପାଗ ଏଥି ପାଇଁ ଉପଯୋଗୀ ହୋଇଥିବାରୁ ପୂର୍ବରୁ କେନ୍ଦୁଝର ଜିଲ୍ଲାର ଜନଜାତି ସମୁଦାୟ ବହୁକାଳରୁ ମାଣ୍ଡିଆ ଚାଷ କରିଆସୁଥିଲେ । ଏଥିରେ ପଲିସ୍ ଚାଉଳ ଓ ଗହମ ତୁଳନାରେ ୩୦ ଗୁଣ ଅଧିକ କ୍ୟାଲ୍ସିୟମ୍, ୪ ଗୁଣ ଅଧିକ ଲୌହସାର, ଫାଇବର, ମିନେରାଲ୍ ଏବଂ ଆଣ୍ଟି ଅକ୍ସିଡେଣ୍ଟ ରହିଛି । ଆହୁରି ମଧ୍ୟ ଏହା ବୃକକ୍ ଓ ଯକୃତର କାର୍ଯ୍ୟକ୍ଷମତାକୁ ବୃଦ୍ଧି କରିବାରେ, କୋଲୋଷ୍ଟ୍ରଲକୁ କମ କରିବାରେ ସହାୟକ ହୋଇଥାଏ ।
ଏହାକୁ ଆଧାର କରି ଜିଲ୍ଲା ପ୍ରଶାସନ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ମାଣ୍ଡିଆ ଚାଷର ପୁନରୁଦ୍ଧାର କରି ଜିଲ୍ଲାର ଜନଜାତି ଅଧ୍ୟୁଷିତ ତଥା ଖଣି ପ୍ରଭାବିତ ଅଞ୍ଚଳରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଯୋଗାଉଛି । ଚାଷୀଙ୍କୁ ମାଣ୍ଡିଆର ଉଚିତ ମୂଲ୍ୟ ପ୍ରଦାନ ନିଶ୍ଚିତ କରାଇ ସେମାନଙ୍କର ଜୀବନଜୀବିକାର ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମର ଏହା ଅଂଶବିଶେଷ । ୨୦୧୮-୧୯ ବର୍ଷରୁ ୨୦୨୨ ମଧ୍ୟରେ ଜିଲ୍ଲାର ୭ଟି ବ୍ଲକ୍ର ୪ ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ୭ଟି ବ୍ଲକ୍ର ୮୮ଟି ଗ୍ରାମ ପଞ୍ଚାୟତର ୪୦୨୦ ଜଣ ଚାଷୀ ମାଣ୍ଡିଆ ଚାଷ କରୁଛନ୍ତି । ମାଣ୍ଡିଆ ଚାଷକୁ ତ୍ୱରାନ୍ୱିତ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପରିଚାଳନାରେ ଜିଲ୍ଲାରେ ୭ଟି ବ୍ଲକ୍ରେ ୧୪ଟି ବିହନ କେନ୍ଦ୍ର, ୧୪ଟି କୃଷି ଯନ୍ତ୍ର ପାତି ଭଡ଼ା କେନ୍ଦ୍ର, ୮୦ଟି ମାଣ୍ଡିଆ ଅମଳ ଯନ୍ତ୍ର, ୭ଟି ପ୍ରକ୍ରିୟାକରଣ ୟୁନିଟ୍ ୧୦୬ଟି ମାଣ୍ଡିଆ ଚୂନା କରିବା ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ, ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସହଭାଗିତା ଏବଂ ଏନ୍.ସି.ଡି.ଏସ୍, ୱାସନ୍ ଓ ସି.ଏସ୍.ଆଇ.ଆର୍, ସି.ଏଫ୍.ଟି.ଆର୍.ଆଇ ସଂସ୍ଥାର ବୈଷୟିକ ସହଯୋଗ ରହିଛି । ମାଣ୍ଡିଆ କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ବାକି ୬ଟି ବ୍ଲକ୍ରେ ଏହାକୁ ସଂପ୍ରସାରିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।
ଏତଦ୍ବ୍ୟତୀତ ମାଣ୍ଡିଆର ସୁବିନିଯୋଗ କରି ଶିଶୁଙ୍କର ପୁଷ୍ଟିର ଅଭିବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଜିଲ୍ଲାର ୧୪ଟି ଆଇ.ସି.ଡି.ଏସ୍ ପ୍ରୋଜେକ୍ଟ ଅନ୍ତର୍ଗତ ୩,୨୫୭ ଅଙ୍ଗନବାଡ଼ି କେନ୍ଦ୍ରର ୮୬,୮୨୫ ଜଣ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କୁ ସପ୍ତାହରେ ୪ଟି ଲେଖାଏଁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି । କୋଭିଡ୍ ମହାମାରୀ ସମୟରେ ଶିଶୁଙ୍କ ଘରକୁ ପ୍ରାକ୍ ରନ୍ଧା ମାଣ୍ଡିଆ ମିକ୍ସ ଯୋଗାଇ ଦିଆଯାଇଥିଲା । ଯାହାକୁ ମାଆମାନେ ଲଡୁ ପ୍ରସ୍ତୁତ କରି ଶିଶୁଙ୍କୁ ଖାଇବା ପାଇଁ ଦେଇଥିଲେ । ଏହା ଶିଶୁମାନଙ୍କର ପୌଷ୍ଟିକ ଅଭିବୃଦ୍ଧି ସହ ଶାରୀରିକ ଓ ମାନସିକ ବିକାଶରେ ସହାୟକ ହେଉଛି । ସେହିପରି ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟ ଓ ହଷ୍ଟେଲ୍ର ଅନ୍ତେବାସୀମାନଙ୍କୁ ସପ୍ତାହରେ ୪ଟି ଲେଖାଏଁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି । ଏହା ଦ୍ୱାରା ୩୩୪ ହଷ୍ଟେଲର ୩୯ ହଜାର ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଅତିରିକ୍ତ ଆୟ ଉତ୍ସର ସୁଯୋଗ ସୃଷ୍ଟି କରାଯାଇଛି ଏବଂ ମିଶନ ଶକ୍ତି ସୁଦୃଢ଼ ହେଉଛି ।
ମାଣ୍ଡିଆ ପ୍ରସ୍ତୁତକୁ ସହଜ ଓ ସରଳ, ସ୍ୱାସ୍ଥ୍ୟକର କରିବା ତଥା ଉତ୍ତମ ମାନ ବଜାୟ ରଖିବା ଉଦ୍ଦେଶ୍ୟରେ ଗ୍ରେଡ୍ର ଆସ୍ପିରେଟର୍ ଓ ଡିଷ୍ଟୋନ୍ର ବ୍ୟବସ୍ଥା ସହ ସେଣ୍ଟା୍ରଲାଇଜଡ୍ ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇଛି । ଏହାର ପରିଚାଳନା ଭାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉପରେ ଦିଆଯାଇଛି । ଯାହାଫଳରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଅତିରିକ୍ତ ଆୟ ବୃଦ୍ଧି ପାଇଛି । ଜିଲ୍ଲାରେ ପୁଷ୍ଟିଶସ୍ୟକୁ ଜନସାଧାରଣଙ୍କ ମଧ୍ୟରେ ଆଦୃତ କରାଇ ସେମାନଙ୍କ ଖାଦ୍ୟ ତାଲିକାରେ ଅତି ପୁଷ୍ଟିକର ମାଣ୍ଡିଆକୁ ସାମିଲ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ 'ମିଲେଟ୍ ଶକ୍ତି କାଫେ' ସ୍ଥାପନ କରିବା ସହିତ ପ୍ରତି ବ୍ଲକ୍ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ମିଲେଟ୍ ଟିଫିନ୍ ସେଣ୍ଟର ସ୍ଥାପନ ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ କରାଯାଇଛି । ରିହାତି ମୂଲ୍ୟରେ ପ୍ରତ୍ୟେକ ରାସନ୍ କାର୍ଡ ହିତାଧିକାରୀଙ୍କୁ ୧ କେଜି ୫୦୦ ଗ୍ରାମ ଲେଖାଏଁ ମାଣ୍ଡିଆ ବଣ୍ଟନ କରାଯାଉଛି ।
ଏହା ଏକ ଐତିହାସିକ ପଦକ୍ଷେପ ଏବଂ ଏକ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ସମଗ୍ର ରାଜ୍ୟରେ ପ୍ରଥମ । ମାଣ୍ଡିଆର ବିକେନ୍ଦ୍ରୀକରଣ ଉତ୍ପାଦନ, ପ୍ରକ୍ରିୟାକରଣ, ଯୋଗାଣ ଏବଂ ବ୍ୟବହାର କ୍ଷେତ୍ରରେ ସମଗ୍ର ଦେଶରେ ଏହା ଏକ ଅନନ୍ୟ ପଦକ୍ଷେପ । ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନିତିଆୟୋଗ ଉଚ୍ଚ ପ୍ରଶଂସା କରିଛନ୍ତି ଏବଂ ଏପରି କାର୍ଯ୍ୟକ୍ରମକୁ ଅନ୍ୟ ଜିଲ୍ଲା ଓ ରାଜ୍ୟରେ ଆରମ୍ଭ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ମାଣ୍ଡିଆର ଘରୋଇ ବ୍ୟବହାର ତଥା ଲୋକପ୍ରିୟତା ସୃଷ୍ଟି ଦିଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ୨୦୨୨ ନଭେମ୍ବର ୧୦ ତାରିଖ ଦିନ ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲା ପାଳ ସମ୍ବର୍ଦ୍ଧିତ ହୋଇଛନ୍ତି ।












Click it and Unblock the Notifications