ଉଦ୍ଘାଟିତ ହେଲା ମହାରାଜା କଂସଙ୍କ ରଙ୍ଗମହଲ
ଧନୁଯାତ୍ରା ମହୋତ୍ସବ ପାଇଁ ବରଗଡ଼ ସହର ଉତ୍ସବ ମୁଖର ହୋଇଛି। ମଥୁରା ନଗରୀ ପାଲଟିଥିବା ବରଗଡ଼ ସହରର ନିଶାମଣି ହାଇସ୍କୁଲ ପଡ଼ିଆଠାରେ ମହାରାଜା କଂସଙ୍କ ରଙ୍ଗମହଲର ଶୁଭାରମ୍ଭ କରାଯାଇଛି। ମଥୁରା ନରେଶ କଂସ ଏବଂ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଏବଂ ରଙ୍ଗମହଲର ମୁଖ୍ୟ ସଂଯୋଜକ ଅକ୍ରୂର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ରଙ୍ଗମହଲ ଉଦ୍ଘାଟନ ପରେ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରିଥିଲେ।

କଳାକାରଙ୍କ ନୃତ୍ୟ ପରିବେଷଣ ପରେ କଂସ ମହାରାଜା ହାତୀ ପିଠିରେ ବସି ହାଟପଦାସ୍ଥିତ ରାଜ ଦରବାରକୁ ଯାଇଥିଲେ। ସେଠାରେ ପୁଣି ଦୈବବାଣୀ ଶୁଣି କଂସ ବିଚଳିତ ହୋଇ ପଡ଼ିଥିଲେ। ଅନ୍ୟପଟେ କାରାଗାର (ସମଲେଶ୍ୱରୀ ମଣ୍ଡପ)ରେ ବନ୍ଦୀ ଦେବକୀଙ୍କ କୋଳରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ବସୁଦେବ ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁର ଯାଇଥିଲେ ଏବଂ ସେଠାରେ ନନ୍ଦରାଣୀ, ନନ୍ଦରାଜାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଛାଡ଼ିଥିଲେ। ଅପରପକ୍ଷେ ସେଠାରୁ ବିଜୁଳିକନ୍ୟାଙ୍କୁ ଧରି ବସୁଦେବ ନିଶାର୍ଦ୍ଧରେ କାରାଗାର ପ୍ରତ୍ୟାବର୍ତ୍ତନ କରିଥିଲେ।












Click it and Unblock the Notifications