ସରିଲା ନଦିନର ଯାତ୍ରା, ଆଜି ଶ୍ରୀମନ୍ଦିର ଅଭିମୁଖେ ବାହାରିବ ଚତୁର୍ଦ୍ଧା ମୂର୍ତ୍ତୀ
ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଆଡପମଣ୍ଡପରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ବ୍ରହ୍ମାଣ୍ଡ ଠାକୁର । ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା । ବାହୁଡ଼ା ଯାତ୍ରା ପୂର୍ବରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ନବମୀ ତିଥିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୂଙ୍କ ନବମୀ ଦର୍ଶନ ବା ସଂନ୍ଧ୍ୟା ଦର୍ଶନ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆଜି ଭୋର ୪ଟାରେ ମଙ୍ଗଳ ଆଳତୀ, ଭୋର ୪ଟା୧୫ରେ ମଇଲମ, ୪ଟା୩୦ରେ ତଡ଼ପ ଲାଗି, ରୋଷହୋମ, ୫ଟାରେ ଅବକାଶ, ୫ଟା୧୫ରେ ସୂର୍ଯ୍ୟପୂଜା, ୫ଟା୩୦ରେ ଦ୍ଵାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫ଟା୪୫ ରୁ ୬ଟା୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ, ସକାଳ ୭ଟାରୁ ୧୧ଟା୩୦ ସେନାପଟା ଲାଗି ନୀତି ହୋଇଛି ।
ସେହିପରି ୧୧ଟା୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨ଟା୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ନ ୧ଟାରୁ ୨ଟା୩୦ ମଧ୍ୟରେ ବେଶ ଶେଷ, ଅପରାହ୍ନ ୨ଟା୩୦ରୁ ୩ଟା୩୦ ମଧ୍ୟରେ ଛେରାପହଁରା, ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ଟାରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି ।
ବାହୁଡ଼ା ପାଇଁ ପ୍ରଶାସନର ବଡ଼ ପ୍ଲାନ୍ । ଏଥର ବାହୁଡ଼ାରେ ଅଘଟଣଶୂନ୍ୟ ହେବ ରଥଟଣା । ସୁରୁଖୁରୁରେ ପହଣ୍ଡି ଶେଷ କରିବାକୁ ଗୋଟିଏ ଟିମ୍ ଗଠନ କରାଯାଇଥିବା ବେଳେ ତିନି ରଥ ଦାୟିତ୍ବରେ ଜିଲ୍ଲାପାଳ, ଏସପି ଏବଂ ଏଡିଏମଙ୍କୁ ରଖାଯାଇଛି । କର୍ଡନ ଭିତରକୁ ଜନଶୂନ୍ୟ କରାଯିବ । ଡ୍ରୋନ୍ ଜରିଆରେ ଟ୍ରାଫିକ ପରିଚାଳା କରାଯିବ । ଭିଡ଼ ନିୟନ୍ତ୍ରଣ ପାଇଁ ରିଅଲ ଟାଇମ୍ ଏଷ୍ଟିମେସନ କରାଯିବ । ପୁରୀକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଆସୁଥିବାରୁ ରାସ୍ତାରେ ହଲ୍ଟ ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ମଧ୍ୟରାତ୍ରୀରୁ ୭ ତାରିଖ ସକାଳ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରଖିବାକୁ ନିଷ୍ପତ୍ତି ହୋଇଛି । ଏହାର ମନିଟରିଂ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କରୁଥିବା ବେଳେ ରଥଯାତ୍ରାର ସାମଗ୍ରିକ ପରିଚାଳନା କରୁଛନ୍ତି ଅରବିନ୍ଦ ଅଗ୍ରୱାଲ ।












Click it and Unblock the Notifications