ବଡ ନିଷ୍ପତ୍ତି ନେଲେ ମୋହନ ସରକାର, ଅବସରପ୍ରାପ୍ତ ସରକାରିବାବୁଙ୍କୁ ମିଳିବ ନିଯୁକ୍ତି
ଚାକିରି ସରିବା ପରେ, ଅବସରପ୍ରାପ୍ତ ସରକାରୀ ବାବୁଙ୍କ ପୁନଃ ନିଯୁକ୍ତି ପାଇଁ ମୋହନ ସରକାର ଆଣିଲେ ନୂଆ ଗାଇଡଲାଇନ୍। ପୁନଃ ନିଯୁକ୍ତି ପାଇବାକୁ ହେଲେ ଉକ୍ତ ଅବସରପ୍ରାପ୍ତ ଅଧିକାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ, ସେ ନେଇ ଜାରି ହୋଇଛି ବିସ୍ତୃତ ଗାଇଡଲାଇନ। ଗାଇଡଲାଇନ୍ ଅନୁସାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଏକ ଚୟନ କମିଟି ରହିବ। ଯେଉଁ କମିଟିର ମୁଖ୍ୟ ଭାବେ ରହିବେ ମୁଖ୍ୟ ଶାସନ ସଚିବ।

ସେହିପରି କମିଟିର ସଦସ୍ୟ ଭାବେ ସାଧାରଣ ପ୍ରଶାସନ ବା ଜିଏ ବିଭାଗର ସଚିବ ଓ ଅର୍ଥ ସଚିବ ରହିବେ। ଗାଇଡଲାଇନ୍ ଅନୁସାରେ- ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ। ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ଜରୁରୀ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାରଯୋଗ୍ୟ ହେବନି ପୁନଃ ନିଯୁକ୍ତି। ଅବସର ପୂର୍ବରୁ ସିସିଆର୍ ଆଉଟଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ। ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ। ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ।
ଗତ ବିଜେଡି ସରକାର ଅମଳରେ ସବୁ ନୀତି ନିୟମକୁ ଜଳାଞ୍ଜଳି ଦିଆଯାଇ ବହୁ ଅବସରପ୍ରାପ୍ତ ଅଫିସରଙ୍କୁ ବଡ଼ ବଡ଼ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ଏମିତି ଅନେକ ଗାଦିମଡ଼ା ବାବୁଙ୍କ ସମ୍ପର୍କରେ ଓଟିଭିରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ ହୋଇଥିଲା। ଆଉ ଆଜି ସେଭଳି ନିଯୁକ୍ତିରେ ଚେକ୍ ଦେବାକୁ ମୋହନ ସରକାର ଆଣିଛନ୍ତି ନୂଆ ଗାଇଡଲାଇନ୍।












Click it and Unblock the Notifications