ଉଦଘାଟିତ ହେଲା ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ
ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦଘାଟନ କରିଛନ୍ତି। ଏଥିରେ "ଓଡ଼ିଶାର ଶ୍ରୀ ଅନ୍ନ ଓ କୃଷି ଐତିହ୍ୟ" ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରାଯିବା ସହ ଖାଦ୍ୟ ନିରାପତ୍ତା ତଥା ଚିରନ୍ତନ କୃଷି ପଦ୍ଧତି ଏବଂ ବିସ୍ମୃତ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହନ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଦିମ କାଳରୁ, ପୁଷ୍ଟିଶସ୍ୟ ଓ ଏହାର ଚାଷ ପ୍ରଣାଳୀ ଆମ ଆଦିବାସୀ ଜନଜାତି ସମ୍ପ୍ରଦାୟଙ୍କ କୃଷି ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ପୁଷ୍ଟିଶସ୍ୟର ପ୍ରାଚୀନତା ଏବଂ ଭାରତୀୟ ସଂସ୍କୃତି ଓ ଐତିହ୍ୟ ସହିତ ଏହାର ନିବିଡତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମିଲେଟ୍ ବା ପୁଷ୍ଟିଶସ୍ୟକୁ "ଶ୍ରୀ ଅନ୍ନ" ନାମରେ ପୁନଃନାମିତ କରିଛନ୍ତି। ପୁନପ୍ରଚଳିତ କୃଷି ପ୍ରଣାଳୀ ମାଧ୍ୟମରେ ବିସ୍ମୃତ ଖାଦ୍ୟ ଓ ଶସ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ପୋଷକତତ୍ତ୍ଵରେ ଭରପୁର ଏହି ଫସଲ କେବଳ ଆମ ଖାଦ୍ୟ ସଂସ୍କୃତିକୁ ସଂରକ୍ଷିତ କରି ରଖିବାରେ ନୁହେଁ, ବରଂ ଆମ ଚାଷୀ ଭାଇଭଉଣୀଙ୍କ ରୋଜଗାର ବୃଦ୍ଧି ଓ ସ୍ଵାସ୍ଥ୍ୟ ଉପକାରିତାରେ ଏହା ସହାୟକ ହୋଇପାରିବ। ଆମେ ସମସ୍ତେ ମିଳିମିଶି ଚିରନ୍ତନ କୃଷି ପଦ୍ଧତି, ଜଳବାୟୁ ସହନଶୀଳ ଖାଦ୍ୟ ପ୍ରଣାଳୀ ଏବଂ ଆମ ଖାଦ୍ୟ ଐତିହ୍ୟକୁ ଆହୁରି ସମୃଦ୍ଧ ଓ ପ୍ରଚାର ପ୍ରସାର କରିବାରେ ସଫଳ ହୋଇପାରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆଶା ବ୍ୟକ୍ତ କରିଛନ୍ତି।
ସମ୍ମିଳନୀରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଯୋଗ ଦେଇ କହିଛନ୍ତି ଯେ ଆଜି ଆମେ ସମସ୍ତେ ଭବିଷ୍ୟତ ପାଇଁ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟର ପୁନଃରୁଦ୍ଧାର ଦିଗରେ ଆଲୋଚନା କରୁଛେ, ଯାହା ଆମ ଖାଦ୍ୟ ପ୍ରଣାଳୀକୁ ବଜାୟ ରଖିବାରେ ସହାୟକ ହୋଇଛି। ଶ୍ରୀ ଅନ୍ନକୁ ପ୍ରୋତ୍ସାହନ ଦେବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପ 'ଓଡ଼ିଶା ଶ୍ରୀ ଅନ୍ନ ଅଭିଯାନ'କୁ ବ୍ୟାପକ କରିବା ଦିଗରେ ସହାୟକ ହୋଇପାରିଛି। ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଆମ ସରକାର ଶ୍ରୀ ଅନ୍ନ ଚାଷ ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀଙ୍କ ଆୟ, ଖାଦ୍ୟ ଏବଂ ପୁଷ୍ଟି ନିରାପତ୍ତା ବୃଦ୍ଧି ନିମନ୍ତେ ସମସ୍ତ ସହଯୋଗ ଯୋଗାଇଦେବା ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି।












Click it and Unblock the Notifications