କୁକୁର ବନ୍ଧ୍ୟାକରଣ ଉପରେ ରହିତାଦେଶ ଉଠାଇଲେ ହାଇକୋର୍ଟ
ଭୁବନେଶ୍ୱର : କୁକୁର ବନ୍ଧ୍ୟାକରଣ ନେଇ ବିଏମସିକୁ ମିଳିଛି ଆଶ୍ୱସ୍ତି । କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଖୁବ୍ଶୀଘ୍ର ଆରମ୍ଭ ହେବ। କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ। ବିଏମସି ସତ୍ୟପାଠକୁ ଗ୍ରହଣ କରି ହାଇକୋର୍ଟ ଏହି ରହିତାଦେଶ ଉଠାଇ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟରେ ପ୍ରାଣୀ ବନ୍ଧ୍ୟାକରଣ କମିଟି ଗଠନ ହେବା କଥା। ମାତ୍ର ଆମ ରାଜ୍ୟରେ ବିନା କମିଟିରେ କୁକୁର ବନ୍ଧ୍ୟାକରଣ କରାଯାଉଥିବା ଅଭିଯୋଗ କରି ବିଶ୍ୱଜିତ ପ୍ରଧାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଗତ ଜୁଲାଇ ୬ ତାରିଖରେ କୁକୁର ବନ୍ଧ୍ୟାକରଣ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ ।
ସୋମବାର ମାମଲାର ଶୁଣାଣି କରି ହାଇକୋର୍ଟ ପୁଣିଥରେ ଏବିସି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହାପରେ ଅସ୍ତ୍ରୋପଚାର ପାଇଁ ଚୁକ୍ତି କରିଥିବା ମହାରାଷ୍ଟ୍ରର ସଂସ୍ଥା 'ଭେଟ୍ ଫର୍ ଆନିମଲ୍' ସହିତ ବିଏମ୍ସି ପକ୍ଷରୁ ଯୋଗାଯୋଗ କରାଯାଇଛି। ଆସନ୍ତା ୨/୩ଦିନ ମଧ୍ୟରେ କର୍ମଚାରୀଙ୍କ ସହ ଭୁବନେଶ୍ୱର ଆସିବାକୁ କୁହାଯିବା ସହ ସପ୍ତାହେ ଭିତରେ କାମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ୫ମାସରୁ ଅଧିକ ସମୟ ଧରି କାର୍ଯ୍ୟ ବନ୍ଦ ଥିବାରୁ ସଂସ୍ଥାର କର୍ମଚାରୀମାନେ ନିଜ ଘରକୁ ପଳାଇଛନ୍ତି। ତେଣୁ କର୍ମଚାରୀମାନେ ଆସିବାକୁ ପ୍ରାୟ ୧ ସପ୍ତାହ ଲାଗିଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଅନୁମତି ମିଳିବା ପରେ ବିଏମ୍ସିର ଏହି ସଜବାଜ ରାଜଧାନୀରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ଓ ଉପଦ୍ରବରେ ରୋକ୍ ଲାଗିବା ନେଇ ଆଶା ଦେଖାଦେଇଛି । ଏହି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର ।












Click it and Unblock the Notifications