୧୯ରୁ ସୋଆରେ ପ୍ରଥମ ପୁଷ୍ପ ଉତ୍ସ
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ପ୍ରଥମ ସୋଆ ପୁଷ୍ପ ଉତ୍ସବ ଆୟୋଜିତ ହେବ । ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ରୁ ଦୁଇଦିନ ଧରି ସୋଆ କ୍ୟାମ୍ପସ-୪ କୃଷି ମହାବିଦ୍ୟାଳୟରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଉତ୍ସବର ପ୍ରଥମ ଦିବସରେ ଭିନ୍ନ ଭିନ୍ନ ଫୁଲର ପ୍ରଦର୍ଶନୀ ସହ ଫୁଲକୁ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ ।

ଦ୍ୱିତୀୟ ଦିବସରେ ଫୁଲ ଚାଷର ବୈଜ୍ଞାନିକ ପ୍ରଣାଳୀ, ଫୁଲ ଚାଷ ପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ, ବ୍ୟାଙ୍କରୁ ମିଳୁଥିବା କୃଷି ଋଣ ତଥା ପୁଷ୍ପ ଉଦ୍ୟୋଗୀକରଣ ସମ୍ପର୍କିତ ଆଲୋଚନାଚକ୍ର ହେବ । ସେଥିରେ ବିଶିଷ୍ଟ ପୁଷ୍ପ ବିଜ୍ଞାନୀ, ବ୍ୟାଙ୍କ ଅଧିକାରୀ, ଉଦ୍ୟାନ ନିର୍ଦ୍ଦେଶାଳୟ ଅଧିକାରୀ ଏବଂ ସଫଳ ପୁଷ୍ପ ଉଦ୍ୟୋଗୀମାନେ ଯୋଗ ଦେବେ । ଯାହା ଫୁଲ ଚାଷୀଙ୍କୁ କୃଷି କ୍ଷେତ୍ରରେ ଅନେକ ପ୍ରେରଣା ଯୋଗାଇବ ବୋଲି ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଆଶା ବ୍ୟକ୍ତ କରିଛନ୍ତି ।
ସୋଆର ଏହି ପ୍ରଥମ ପୁଷ୍ପ ଉତ୍ସବରେ କେବଳ କୃଷକମାନଙ୍କୁ ନୁହେଁ, ଏଥିରେ ଆୟୋଜିତ ହେବାକୁ ଥିବା ଭିନ୍ନ ଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀ, ସାଧାରଣ ଗୃହିଣୀ, ଫୁଲପ୍ରେମୀ, ପୁଷ୍ପ ଉତ୍ପାଦକମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ପୁଷ୍ପ ମହୋତ୍ସବର ପରିଚାଳିକା, ପୁଷ୍ପ ଓ ଭୂଭାଗ ଦୃଶ୍ୟ ଉଦ୍ୟାନ ବିଭାଗ ମୁଖ୍ୟ ପ୍ରଫେସର ଶଶୀକଳା ବେଉରା ମତ ଦେଇଛନ୍ତି ।
ଏହି ଉତ୍ସବରେ ପୁଷ୍ପ ପ୍ରଦର୍ଶନୀ ପାଇଁ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଯୋଗଦାନ ପାଇଁ ଏବଂ ପୁଷ୍ପ ସମ୍ବନ୍ଧିତ ଆଲୋଚନାରେ ଭାଗ ନେବା ଲାଗି ଫୁଲ ଚାଷୀ, ଫୁଲ ଉଦ୍ୟୋଗୀ, ବିଭିନ୍ନ ନର୍ସରୀ, ଅନୁଷ୍ଠାନ ଓ ଫୁଲ ପ୍ରେମୀମାନଙ୍କୁ ଆହ୍ୱାନ କରାଯାଉଛି । ଉତ୍ସବରେ ଭାଗ ନେବା ପାଇଁ କୌଣସି ପଞ୍ଜୀକରଣ ଶୁଳ୍କ ରଖାଯାଇ ନାହିଁ ।
ଓଡ଼ିଶାରେ କୃଷକମାନେ ଜର୍ବେରା, ଗୋଲାପ ଓ ଅର୍କିଡ ଆଦି ଚାଷ କରି ବାହାରକୁ ରପ୍ତାନୀ କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରିପାରୁଛନ୍ତି । ସେହିପରି ବିଭିନ୍ନ ପ୍ରକାର ଋତୁଜିବୀ ପୁଷ୍ପ ପାଇଁ ବ୍ୟବହୃତ ଗଛର ମଞ୍ଜି ଉତ୍ପାଦନ ମଧ୍ୟ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । ଓଡ଼ିଶାରେ ପ୍ରାୟ ୧୦ହଜାର ହେକ୍ଟର ଜମିରେ ଫୁଲ ଚାଷ କରାଯାଉଛି । ରାଜ୍ୟର ଭୌଗୋଳିକ ଅବସ୍ଥିତି, ଜଳବାୟୁ ଓ ମୃତ୍ତିକା ଫୁଲ ଚାଷ ପାଇଁ ଖୁବ୍ ଉପଯୋଗୀ ହୋଇଥିବାରୁ ଓଡ଼ିଶାର କୃଷକମାନେ ଚିରାଚରିତ କୃଷି ସହିତ ଗୋଲାପ, ରଜନୀଗନ୍ଧା, ଗେଣ୍ଡୁ, ଗ୍ଲାଡିଓଲସ୍, ମଲ୍ଲୀ, ସେବତୀ ଓ ଇଟିମାଳା ଆଦି ଫୁଲ ଚାଷ ଦିଗରେ ମନ ଦେଉଛନ୍ତି ।












Click it and Unblock the Notifications