ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା; ସାଢ଼େ ୧୧ରେ ଝାରସୁଗୁଡ଼ା ୩୭.୮
ତାଉ ଖରାରେ ସିଝୁଛି ସମଗ୍ର ପଶ୍ଚିମ ଓଡ଼ିଶା । ଆଜି ସାଢ଼େ ୧୧ରେ ଝାରସୁଗୁଡ଼ା ୩୭.୮ । ହୀରାକୁଦ ୩୭, ସମ୍ବଲପୁର ତାପମାତ୍ରା ୩୬ ଡିଗ୍ରୀ ।
ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୩ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ସର୍ବାଧିକ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି। ସେହିପରି ରାତି ତାପମାତ୍ରା ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ୧୯ରୁ କାଳବୈଶାଖୀ ଦ୍ବାରା ରାଜ୍ୟର ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ୩ଦିିନ ପର୍ଯ୍ୟନ୍ତ କାଳବୈଶାଖୀ ଆଶଙ୍କା ଥିବାରୁ ଦିନ ତାପମାତ୍ରା ପଶ୍ଚିମ ଓଡ଼ିଶା ସହିତ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ହ୍ରାସ ପାଇବ। ଗ୍ରୀଷ୍ମଲହରୀ ଏବଂ କାଳବୈଶାଖୀ ଜନିତ ସତର୍କତା ପାଇଁ ଜିଲାପାଳମାନେ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଉ ତିିନିଦିନ ପରେ ସାରା ରାଜ୍ୟରେ ତାପମାତ୍ରା କମିବ। କେନ୍ଦ୍ରୀୟ ଓ ଦକ୍ଷିଣ-ପୂର୍ବ ଓଡ଼ିଶାରେ ସବୁଠାରୁ ଅଧିକ ତାପମାତ୍ରା ହ୍ରାସ ପାଇବ। ରାଜ୍ୟ ମଧ୍ୟକୁ ପଶ୍ଚିମା ଗରମ ପବନ ବହୁଛି। ଫଳରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ୨୦ରେ ଆଂଶିକ ଓ ତା'ପରେ ଦୁଇଦିନ ପାଗରେ ପରିବର୍ତ୍ତନ ହେବ। ବଙ୍ଗୋପସାଗରୀୟ ସାମୁଦ୍ରିକ ବାୟୁ ଆଭ୍ୟନ୍ତରୀଣ ଓଡ଼ିଶାକୁ ପ୍ରବାହ କରିବ। ଏହାସହିତ ୨୧ରେ ଉତ୍ତର-ପଶ୍ଚିମ ଓଡ଼ିଶା ଏବଂ ୨୨ରେ ଦକ୍ଷିଣ ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପବନ ସହ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୧୯, ୨୦, ୨୩ ଓ ୨୪ ତାରିଖରେ ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ୨୦ରେ ଦିନ ତାପମାତ୍ରା ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ୨୧ ଓ ୨୨ରେ ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ। ନୟାଗଡ଼ ଜିଲା ସମେତ ରାଜ୍ୟର କିଛି ଅଞ୍ଚଳରେ ରବିବାର ରାତିରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି।












Click it and Unblock the Notifications