କେନ୍ଦ୍ରାପଡାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ
ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାରେ ନିପ୍ପନ ଷ୍ଟିଲ ପକ୍ଷରୁ ଷ୍ଟିଲପ୍ଲାଣ୍ଟ ପ୍ରତିଷ୍ଠା ନେଇ ଆଶା ଉଜ୍ଜ୍ବଳ ହୋଇଛି। ଏହି ପ୍ରକଳ୍ପ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲାର ମହାକାଳପଡା ଅଞ୍ଚଳରେ ଏହା ପ୍ରତିଷ୍ଠା ହେବାକୁ ଯାଉଛି। ଅତିରିକ୍ତ ଜିଲାପାଳ ମହାକାଳପଡ଼ା ତହସିଲଦାରଙ୍କୁ ଚିଠି ଲେଖିଛନ୍ତି, ତୁରନ୍ତ ମହାକାଳପଡ଼ା ବ୍ଲକ ବଡ଼ଟୁବିରେ ଜମି ଅଧିଗ୍ରହଣ ପାଇଁ ନିର୍ଦେଶ ଜାରି କରିଛନ୍ତି।

ଏହି ଅଞ୍ଚଳରେ ନିପ୍ପନ ଷ୍ଟିଲ କାରଖାନା ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୩୮ ଏକର ଜମି ଅଧିଗ୍ରହଣ ଲାଗି ନିର୍ଦେଶରେ ଉଲ୍ଲେଖ କରାଯାଇଛି। ଯେଉଁମାନେ ଜମି ହରାଇବେ ସେମାନଙ୍କୁ ନ୍ୟାୟୋଚିତ କ୍ଷତିପୂରଣ ପ୍ରଦାନ କରାଯିବ। ଏହାସହ ସେମାନଙ୍କୁ ପୁନର୍ବାସ ସହ ଥଇଥାନ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବର ୧୭ ତାରିଖରେ ଆର୍ସେଲର ମିତ୍ତଲ ଓଡ଼ିଶା ସରକାରଙ୍କ ସହ ଚୁକ୍ତି କରିଥିଲା ଯେ କେନ୍ଦ୍ରାପଡ଼ା ଜିଲାରେ ବାର୍ଷିକ ୨୪ ମିଲିୟନ ଟନ ଷ୍ଟିଲ ଉତ୍ପାଦନ କରିବ। ଏ ନେଇ ରାଜ୍ୟ ସରକାର ଜମି ଯୋଗାଇ ଦେବେ । ଏକ ଲକ୍ଷ କୋଟି ଟଙ୍କା ଏଥିରେ ବିନିଯୋଗ ହେବ ବୋଲି ମିତ୍ତଲ ପକ୍ଷରୁ କୁହାଯାଇଥିଲା। ଏହି ଷ୍ଟିଲ ପ୍ଲାଣ୍ଟରେ ସିଧାସଳଖ ୫ ହଜାର ନିଯୁକ୍ତି ସୃଷ୍ଟି ହେବ; ଏହାସହ ପରୋକ୍ଷରେ ଆଉ ୫ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଯୋଜନା ହୋଇଥିଲା ; କିନ୍ତୁ ବିଜେଡି ସରକାର ଅମଳରେ ଏହା କେବଳ ଯୋଜନାରେ ରହିଗଲା। ୨୦୨୪ ନିର୍ବାଚନ ଆଚରଣ ବିଧି ଲାଗୁ ସୁଦ୍ଧା ପ୍ଲାଣ୍ଟ ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା।
ରାଜ୍ୟରେ ବିଜେପି ସରକାର ଆସିବାର ୬ ମାସ ମଧ୍ୟରେ ଏହି କାରଖାନା ପ୍ରତିଷ୍ଠା ଲାଗି ପଦକ୍ଷେପ ନିଆଯାଇଛି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର କହିଛନ୍ତି, ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳରେ ସାଧାରଣ ଲୋକଙ୍କ ଜମି ରହିଥିବାରୁ ସେମାନଙ୍କୁ ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯାଇ ଜମି ଅଧିଗ୍ରହଣ କରାଯିବ। ଏହି ପ୍ରକଳ୍ପ ଅଞ୍ଚଳ ଅଧୀନ ଅନ୍ୟ କେତେକ ଗ୍ରାମରେ ମଧ୍ୟ ବେସରକାରୀ ଜମି ରହିଛି।












Click it and Unblock the Notifications