ଭଙ୍ଗା ଯିବନି ବର୍ତ୍ତମାନର ବିଧାନସଭା, ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ- ପୃଥ୍ବୀରାଜ ହରିଚନ୍ଦନ
ରାଜ୍ୟରେ ନୂଆ ବିଧାନସଭା ତିଆରି ନେଇ ଖବର ଆସିବା ପରେ, ଚର୍ଚ୍ଚା ହେଉଥିଲା ଯେ, ପୁରୁଣା ବିଧାନସଭା କଣ ହେବ? ଏବେ ଏନେଇ ସ୍ପଷ୍ଟୋକ୍ତି ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ଥିବା ବିଧାନସଭା କୋଠାକୁ ଭଙ୍ଗାଯିବନି । ଏହାକୁ ସନ୍ତକ ହିସାବରେ ରଖାଯିବ । ଏମିତି କି ଭବିଷ୍ୟତରେ ଏହାକୁ ମ୍ୟୁଜିୟମ ଭାବରେ ମଧ୍ୟ ବ୍ୟବହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆଗକୁ ଓଡ଼ିଶାରେ ବିଧାନ ପରିଷଦ ଗଠନ ହୁଏ ତେବେ ଏହି ପୁରୁଣା ବିଧାନସଭା ଗୃହକୁ ବିଧାନ ପରିଷଦ ଗୃହ ଭାବେ ମଧ୍ୟ ବ୍ୟବହାର କରିହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ନୂଆକରି ତିଆରି ହେବାକୁ ଥିବା ବିଧାନସଭାରେ ୩୦୦ ସଦସ୍ୟ ବସିପାରିବେ । ଲୋକସେବା ଭବନ ଏବଂ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ଏହି ନୂଆ ବିଧାନସଭା ଗଠନ ହେବ ।

ଅନ୍ୟପଟେ ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଲୋକସେବା ଭବନର ଅତି ନିକଟରେ ଥିବା ନଅ ତାଲା, ସେଚ ସଦନ ଏବଂ ରାଜୀବ ଭବନକୁ ଭଙ୍ଗାଯିବ । ଏ ସବୁ କୋଠା ବିପଦସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ତେବେ ତିନୋଟି ପର୍ଯ୍ୟାୟରେ ନୂଆ ଲୋକସେବା ଭବନ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ମୁଖ୍ୟ ଅଫିସଟି ଖାରବେଳ ଭବନ ନିକଟରେ ନିର୍ମାଣ ହେବ । ଏହାପରେ ପାଓ୍ୱାର ହାଉସ ଛକକୁ ଲାଗି ଏଡିଏମ୍ ଅଫିସ, OSEPA ଅଫିସ୍ ପାଖରେ ହେବ ନୂତନ ଲୋକସେବା ଭବନ ଅଫିସ୍ ।












Click it and Unblock the Notifications