ଜଳଭଣ୍ଡାର ଓ ନଦୀରେ ଜଳପ୍ରବାହ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ

ସଂପ୍ରତି ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ହୀରାକୁଦ ସମେତ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳଭଣ୍ଡାରଗୁଡିକର ଜଳସ୍ତର, ବିଭିନ୍ନ ନଦୀରେ ଜଳପ୍ରବାହ ସ୍ଥିତି ଓ ଏଥି ପାଇଁ ଜଳସଂପଦ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଜିଲ୍ଲାପାଳମାନଙ୍କର ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଅପରାହ୍ଣରେ ଲୋକସେବା ଭବନରେ ଏକ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ ।

Manoj Ahuja

ଏହି ବୈଠକରେ ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଭକ୍ତରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୁବର୍ଣ୍ଣପୁର, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, ଜଗତସିଂହପୁର, ନୟାଗଡ଼, ପୁରୀ, କଟକ ଆଦି ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ବୈଠକରେ ହୀରାକୁଦ ଓ ରେଙ୍ଗାଲି ଜଳଭଣ୍ଡାର ସମେତ ଅନ୍ୟ ବିଭିନ୍ନ ବୃହତ୍ ଓ ମଧ୍ୟମ ଜଳ ଭଣ୍ଡାରଗୁଡ଼ିକର ଜଳଧାରଣ କ୍ଷମତା ଓ ବର୍ତ୍ତମାନର ଜଳସ୍ତର ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଥିଲେ ଯେ, ବର୍ଷା ଋତୁରେ ବିଭିନ୍ନ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଲେ ବିଭାଗ ଦ୍ୱାରା ଅନୁସରଣ କରାଯାଉଥିବା ରୁଲ୍ କର୍ଭ, ବିଭିନ୍ନ ନଦୀ ଅବବାହିକାର ଉପର ମୁଣ୍ଡରେ ଜଳ ପ୍ରବେଶର ସୂଚନା ଏବଂ ବିଭିନ୍ନ ନଦୀରେ ଜଳ ପ୍ରବାହର କ୍ଷମତା ଆଧାରରେ ନଦୀରେ ଜଳ ଛଡା ଯାଇଥାଏ । ଏବେ ହୀରାକୁଦ ଜଳଭଣ୍ଡାରରେ ୯୮ ଟି ଗେଟ୍‌ ମଧ୍ୟରୁ ୨୦ ଟି ଗେଟ୍‌ ଖୋଲା ରହିଛି । ବୈଠକର ଆଲୋଚନାରୁ ଜଣାପଡିଛି ଯେ, ହୀରାକୁଦ ଜଳଭଣ୍ଡାର ଜଳଧାରଣ କ୍ଷମତା ପୂର୍ଣ୍ଣ ସ୍ଥିତି ୬୩୦.୦୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୧୪.୦୮ଫୁଟ ରହିଛି ।

ସେହିପରି ରେଙ୍ଗାଲିରେ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ୧୧୧.୩୨ ମିଟର ରହିଛି । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଭିନ୍ନ ଜଳଭଣ୍ଡାରର ଜଳସ୍ତର ସ୍ଥିତି, ନଦୀରେ ଜଳ ପ୍ରବାହ ସ୍ଥିତି ସଂପର୍କରେ ଉପସ୍ଥାପନ କରିଥିଲେ । ସମସ୍ତ ବୃହତ ଓ ମଧ୍ୟମ ଜଳଭଣ୍ଡାର ଓ ନଦୀରେ ଜଳ ପ୍ରବାହର ସ୍ଥିତି ଉପରେ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ନଜର ରଖାଯାଇଛି । ଜଳକା ନଦୀରେ ଗତକାଲି ଅଧିକ ଜଳ ପ୍ରବାହିତ ହେଉଥିବା ବେଳେ ଏବେ ବିପଦ ସଂକୁଳ ସ୍ତର ତଳେ ଜଳ ପ୍ରବାହିତ ହେଉଛି । ମହାନଦୀର ମୁଣ୍ଡଳି ଠାରେ ଅଦ୍ୟାବଧି ପ୍ରାୟ ୪.୪୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ହୀରାକୁଦ ଓ ରେଙ୍ଗାଲୀ ଜଳଭଣ୍ଡାରକୁ ଜଳ ପ୍ରବେଶ ମାତ୍ରା କମ୍ ରହିଛି । ତେବେ ଲଗାଣ ବର୍ଷା ଯୋଗୁଁ ଅନ୍ୟ ଜଳ ଭଣ୍ଡାରଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂର୍ବରୁ ସମ୍ଭାବ୍ୟ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରାଜ୍ୟସ୍ତରରେ ଓ ଜିଳ୍ଲାସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ କରାଯାଇଛି । ଏଥି ପାଇଁ ମାନକ ସଂଚାଳନ ପଦ୍ଧତି (ଏସ୍‌ଓପି) ରହିଛି, ଯାହାକୁ ଆଧାର କରି ରାଜ୍ୟ ତଥା ଜିଲ୍ଲାସ୍ତରରେ ସମ୍ଭାବ୍ୟ ବନ୍ୟା, ବାତ୍ୟା, ମରୁଡି ଆଦିର ପରିଚାଳନା କରାଯାଉଛି । ଏବେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ନଦୀରେ ଜଳ ପ୍ରବାହ ହେଉଥିବା ଯୋଗୁଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିଶେଷ କରି ନଦୀରେ ପାଣି ପ୍ରବାହ ଦେଖିବାକୁ ଯାଉଥିବା ବ୍ୟକ୍ତିମାନଙ୍କୁ ସାଥିରେ ଛୋଟପିଲା ମାନଙ୍କୁ ନଦୀ କୂଳକୁ ନ ଛାଡିବା, ଗାଈ ଗୋରୁମାନଙ୍କୁ ନଦୀକୁ ନଛାଡିବା, ବିପଜ୍ଜନକ ଭାବେ ସେଲଫି୍‌ ନେବାରୁ ନିବୃତ୍ତ ରହିବାକୁ ସଚେତନତା ପାଇଁ ଏସଆରସି ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଆହୁରି ମଧ୍ୟ ଚିଲିକାରେ ଡଙ୍ଗା ବା ଲଞ୍ଚ ଚଳାଚଳ ବେଳେ ସଂଖ୍ୟାଧିକ ଯାତ୍ରୀ ପରିବହନ ଉପରେ ଏସଆରସି ପୁରୀ ଜିଲ୍ଲାପାଳଙ୍କୁ ସତର୍କ ଦୃଷ୍ଟି ରଖିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ଲଗାଣ ବର୍ଷା ଜନିତ ପ୍ରଭାବର ମୁକାବିଲା ସ୍ଥିତିରେ ସଂପୃକ୍ତ ଜିଲ୍ଲାମାନଙ୍କରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଛୁଟି ନ ନେବାକୁ ପରାମର୍ଶ ଦିଆଯାଇଛି ।

ବିଭିନ୍ନ ଜିଲ୍ଲାରେ ପୂର୍ବରୁ ଚାଷ କାର୍ଯ୍ୟ ପାଇଁ ବର୍ଷା ପରିମାଣ ନିଅଣ୍ଟିଆ ସ୍ଥିତିରେ ରହିଥିବା ବେଳେ ଏବେ ବର୍ଷା ଫଳରେ ଚାଷ କାର୍ଯ୍ୟରେ ଆଶାଜନକ ଅଗ୍ରଗତି ପରିଲକ୍ଷିତ ହୋଇଥିବା ଜିଲ୍ଲାପାଳମାନେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଅଧିକ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଲେ ସେଥିପାଇଁ ସତର୍କତାମୁଳକ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳମାନେ କହିଥିଲେ । ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତି ତଦାରଖ କାର୍ଯ୍ୟ କରାଯାଉଥିବା ସହ ଜିଲ୍ଲା ଜରୁରୀକାଳୀନ ରେସପନ୍ସ ଟିମ ପ୍ରସ୍ତୁତ ଥିବା ପ୍ରକାଶ କରିଥିଲେ ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସୁନାମ ରହିଛି । ପୂର୍ବରୁ ରହିଥିବା ଏସଓପି ଆଧାରରେ ପୁନରୁଦ୍ଧାର ବ୍ୟବସ୍ଥା, ପ୍ରଶିକ୍ଷଣ,ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଯେଉଁ ଏସଓପି ରହିଛି, ଲଗାଣ ବର୍ଷା ଜନିତ ପ୍ରଭାବ ଓ ପରବର୍ତ୍ତୀ ପଦକ୍ଷେପ ପାଇଁ ତାହାକୁ ଅଧିକ କ୍ରିୟାଶୀଳ କରାଯାଇ ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏସଓପି ଅନୁସରଣ ସହ କୌଣସି କ୍ଷେତ୍ରରେ ଯେପରି ଜୀବନ ହାନି ନ ଘଟେ , ସେଥିପ୍ରତି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ସମ୍ଭାବ୍ୟ ସ୍ଥିତିରେ ସରକାରୀ ଗୃହ, ବିଦ୍ୟାଳୟ କୋଠା, ରାସ୍ତା, କଲଭର୍ଟ ଆଦି କ୍ଷତିଗ୍ରସ୍ତ ହେଲେ ସେସବୁକୁ ତୁରନ୍ତ ମରାମତି ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଟିମ୍ ପ୍ରସ୍ତୁତ ଥିବା ସହ ଓଆରଏସ, ବ୍ଲିଚିଂ ପାଉଡର, ସାପ କାମୁଡା ପ୍ରତିଷେଧକ(ଆଣ୍ଟିଭେନମ), ଆମ୍ବୁଲାନ୍ସ ଓ ରାପିଡ ଆକ୍ସନ ଟିମ୍ ମୁତୟନ ବ୍ୟବସ୍ଥା ରହିଥିବା ସଂପର୍କରେ ବିଭାଗୀୟ ସଚିବ ଆଲୋକପାତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+