୧୦ ଡ଼ିଗ୍ରୀ ଛୁଇଁଲା ପାରଦ, ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଜନଜୀବନ; ଆହୁରି ୫ ଦିନ ନିସ୍ତାର ନାହିଁ
ଶିମିଳିପାଳରେ ଶୂନ ଡିଗ୍ରୀକୁ ଖସିଲା ପାରଦ । ଜି.ଉଦୟଗିରିରେ ୩ ଡିଗ୍ରୀ ଓ ସେମିଳିଗୁଡ଼ା ତାପମାତ୍ରା ୪.୧ ଡିଗ୍ରୀ ସେଲସିୟସ୍ । ରାଜ୍ୟର ୨୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ଥିଲା ମଙ୍ଗଳବାର । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୫ରୁ ୮ ଡିଗ୍ରୀ କମ୍ ଥିଲା । ସାରା ଓଡ଼ିଶା ଥରିଲା ଠକ୍ଠକ୍ । ଖାଲି ମଣିଷ ନୁହେଁ, ଜୀବଜନ୍ତୁ ବି ଛଟପଟ ହୋଇଥିଲେ ହାଡ଼ଭଙ୍ଗା ଶୀତରେ ।

ପାଣିପାଗ ବିଭାଗର ଆକଳନ ଦେଖାଇଛି, ଆଗକୁ ଏ ସ୍ଥିତି ଆହୁରି ସାଂଘାତିକ ହେବ । ଆସନ୍ତା ୧୨ ତାରିଖ ଯାଏ ଥଣ୍ଡା ମାଡ଼ରୁ ନିସ୍ତାର ନାହିଁ । ଅଧିକାଂଶ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ । ୫ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ଥରିବ କେତେକ ଅଞ୍ଚଳ । ପୂର୍ବାନୁମାନ ଅନୁସାରେ ଗୁରୁବାର ରାତିରେ ଝାରସୁଗୁଡ଼ା, ଫୁଲବାଣୀ ଓ ରାଉରକେଲାରେ ପାରଦ ୫ ଡିଗ୍ରୀ ତଳକୁ ଖସିପାରେ । ଅନୁଗୁଳ, କେନ୍ଦୁଝର, ଭବାନୀପାଟଣା ଓ ସୁନ୍ଦରଗଡ଼ ତାପମାତ୍ରା ୮ ଡିଗ୍ରୀ ରହିପାରେ । ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, ବାରିପଦାରେ ପାରଦ ୯ ଡିଗ୍ରୀ ପାଖାପାଖି ରହିପାରେ । ଶୁକ୍ରବାର ରାତିରେ ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲା ତାପମାତ୍ରା ୬ ଡିଗ୍ରୀରେ ଥରିପାରେ। ସେହିପରି ସୁନ୍ଦରଗଡ଼ ୮ ଡିଗ୍ରୀ, ଭବାନୀପାଟଣା ଓ କୋରାପୁଟରେ ପାରଦ ୯ ଡିଗ୍ରୀ ସେଲସିୟସ୍ ରହିପାରେ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳରେ (କେନ୍ଦ୍ରାପଡ଼ାରୁ ଗଞ୍ଜାମ ଯାଏ) ମକର ସଂକ୍ରାନ୍ତି ପରେ ଶୀତ ପ୍ରକୋପ କମିବ । ୧୨ ତାରିଖ ପରେ କିଛି ସ୍ଥାନରେ ଥଣ୍ଡା କମିପାରେ । କିନ୍ତୁ, କନ୍ଧମାଳ, କୋରାପୁଟ, ଗଜପତି, ରାୟଗଡ଼ା ସମେତ ଆଭ୍ୟନ୍ତରୀଣ ଗଞ୍ଜାମରେ ଜାନୁୟାରୀ ମାସ ଶେଷ ଯାଏ ଥଣ୍ଡାର ପ୍ରକୋପ ଜାରି ରହିବ ।
ଏଥର ଶୀତ ଋତୁରେ ଲମ୍ବା ସମୟ ଧରି ଶୀତ ପ୍ରକୋପ ଜାରି ରହିଛି । ଏ ସମ୍ପର୍କରେ ପ୍ରଫେସର ପଶୁପାଳକ କହିଛନ୍ତି, ଚଳିତ ଶୀତ ଋତୁରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମ୍ ରହୁଛି । ପଞ୍ଜାବ, ହରିଆନା, ରାଜସ୍ଥାନରେ ଅତି ଭୀଷଣ ଥଣ୍ଡା ସହିତ ଶୀତ ଲହରୀ ହେଉଛି । ଓଡ଼ିଶାରେ ୨୦୧୮ ଓ ୨୦୧୯ ମସିହା ଭଳି ଶୀତ ଅନୁଭୂତ ହେଉଛି । କନ୍ଧମାଳର ଜି.ଉଦୟଗିରିରେ ରାତି ତାପମାତ୍ରା ପ୍ରାୟତଃ ୫ରୁ ୬ ଡିଗ୍ରୀ ରହୁଛି । ବରଫାବୃତ ହିମାଳୟ ଅଞ୍ଚଳରୁ ଉତ୍ତର ପଶ୍ଚିମ ଦିଗ ହୋଇ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଯୋଗୁ ଏଭଳି ଥଣ୍ଡା ଲାଗି ରହିଛି ।
ଲା-ନିନା ସ୍ଥିତି ଏବେ ଚାଲୁ ରହିଛି । ଲା-ନିନା ବର୍ଷରେ ଶୀତ ସ୍ୱାଭାବିକଠାରୁ ଅଧିକ ରୁହେ । ପୁଣି ଏବର୍ଷ ପଶ୍ଚିମା ଝଡ଼ ନାହିଁ । ମେଘ ନଥିବାରୁ ବିକିରଣ ଅଧିକ ରହୁଛି ଓ ରାତି ତାପମାତ୍ରା କମୁଛି । ପୁଣି ସକାଳୁ କୁହୁଡ଼ି ରହୁଥିବାରୁ ସୂର୍ଯ୍ୟକିରଣ ଭୂପୃଷ୍ଠକୁ ଆସିବାରେ ବିଳମ୍ବ ହେଉଛି ଓ ଦିନରେ ପାଗ କୋହଲା ରହୁଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।












Click it and Unblock the Notifications