ସକାଳୁ ସକାଳୁ ଜଳୁଛି ରାଜଧାନୀ: ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୦ ଡ଼ିଗ୍ରୀ ପାର୍
ଭୁବନେଶ୍ୱର: ସକାଳୁ ସକାଳୁ ଜଳୁଛି ରାଜଧାନୀ । ବଡ଼ି ସକାଳୁ ଭୁବନେଶ୍ୱରରେ ତାତି, ଗରମ ଓ ଗୁଳୁଗୁଳି ଅନୁଭୁତ ହେବାରେ ଲାଗିଛି । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୦ ଡ଼ିଗ୍ରୀ ପାର୍ କରିଛି । ସେହିପରି ଆର୍ଦ୍ରତା ୮୮ ପ୍ରତିଶତ ଥିବାରୁ ଗରମ, ଗୁଳୁଗୁଳିରେ ଜନଜୀବନ ଅସହ୍ୟ ହୋଇପଡିଛି ।

ସେହିପରି ଆଜି ସକାଳ ୮.୩୦ ସୁଦ୍ଧା ଝାରସୁଗୁଡାରେ ୩୭.୨ ଡ଼ିଗ୍ରୀ, ସମ୍ବଲପୁରେ ୩୬.୬ ଡ଼ିଗ୍ରୀ, ହୀରାକୁଦରେ ୩୫.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୫ ଡ଼ିଗ୍ରୀ, କେନ୍ଦୁଝର ୩୫ ଡ଼ିଗ୍ରୀ, ପୁରୀ ୩୪.୬ ଡ଼ିଗ୍ରୀ, ବାଲେଶ୍ୱର ୩୪.୨ ଡ଼ିଗ୍ରୀ, ଚାନ୍ଦବାଲି ୩୪ ଡ଼ିଗ୍ରୀ, ପାରାଦୀପ ୩୨.୪ ଡ଼ିଗ୍ରୀ, ଗୋପାଳପୁରରେ ୩୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିପରି ଆଜିଠୁ ଆହୁରି ୨ ଦିନ ଯାଏଁ ତାତିରୁ ତ୍ରାହି ନାହିଁ । ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ। ବିଶେଷ କରି ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ୪୬ ଡିଗ୍ରୀ ଅତିକ୍ରମ କରିପାରେ। ଉପକୂଳରେ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ବଢ଼ିବା ସହ ରାଜ୍ୟରେ ଝାଞ୍ଜି ପବନ ବହିବାର ସମ୍ଭାବନା ଥିବାରୁ ଗରମ ଅଧିକ ଅସହ୍ୟ ହେବ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆହୁରି ଦୁଇ ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ଜାରି ରହିବ । କିଛି ସ୍ଥାନରେ ସ୍ୱାଭାବିକଠାରୁ ୪ ରୁ ୬ ଡିଗ୍ରୀ ଉପରେ ପାରଦ ରହିପାରେ । ତାତି ଅଧିକ ରହୁଥିବାରୁ ଏଥର ରଜରେ କୋହଲା ପାଗ ଦେଖିବାକୁ ମିଳି ନପାରେ ।
ଅନ୍ୟପଟେ ତାତି ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୋଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିଭଳି ୪ଟି ଜିଲ୍ଲା ସୁନ୍ଦରଗଡ, କନ୍ଧମାଳ, ନୂଆପଡା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଜି ଭଳି ଆସନ୍ତାକାଲି ବି କିଛି ଜିଲ୍ଲାକୁ ସତର୍କ କରାଯାଇଛି । ଜୁନ ୧୩ ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ଓ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ତାତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଆବଶ୍ୟକ ନଥିଲେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବାକୁ ସତର୍କ କରାଇଛନ୍ତି ପାଣିପାଗ ବିଭାଗ ।












Click it and Unblock the Notifications