ଆସିକା ଚିନିକଳର ପୁନରୁଦ୍ଧାର ପାଇଁ ଗଠନ ହେବ ଟାସ୍କଫୋର୍ସ; ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ
ଆସିକା ଚିନିକଳର ପୁନରୁଦ୍ଧାର ପାଇଁ ଗଠନ ହେବ ଟାସ୍କଫୋର୍ସ। ଟାସ୍କଫୋର୍ସ ଗଠନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ। ସଦସ୍ୟ ରହିବେ କୃଷି, ଅର୍ଥ, ସମବାୟ, ଅବକାରୀ ଓ ଜଳ ସଂପଦ ଅଧିକାରୀ। ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟକୁ ଯାଇ ଅନୁଧ୍ୟାନ କରି ମତାମତ ଦେବ ଟାସ୍କଫୋର୍ସ।
ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଏହି ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ସଦସ୍ୟ ଭାବେ ରହିବେ। ମଙ୍ଗଳବାର ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଚିନି କଳ ଏକ ପୁରାତନ ଚିନି କଳ। ଏହା ଉପରେ ଅନେକ ଚାଷୀ ନିର୍ଭର କରନ୍ତି। ତେଣୁ, ଏହାର ଉନ୍ନତିକରଣ ଓ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ ।

ଏହି ଟାସ୍କ ଫୋର୍ସ ମହାରାଷ୍ଟ୍ର ଏବଂ ଅନ୍ୟ ରାଜ୍ୟଗୁଡିକୁ ପରିଦର୍ଶନରେ ଯାଇ ସେଠାକାର ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବା ପରେ ଏହାର ରିପୋର୍ଟ ଆଧାରରେ ଚିନି କଳର ପୁନରୁଦ୍ଧାର କରାଯିବ ।
ସୂଚନା ଯୋଗ୍ୟ, ଆସିକା ସମବାୟ ଚିନି କଳ ୧୯୫୬ ମସିହାରେ ସ୍ଥାପିତ ହୋଇଥିଲା। ୧୯୬୩ରେ ଏଠାରେ ଚିନି ଉତ୍ପାଦନ ଆରମ୍ଭ ହୋଇଥିଲା। ପରେ ଏହାର କ୍ଷମତା ବୃଦ୍ଧି ହୋଇ ଚିନି ସହ ଅନ୍ୟାନ୍ୟ ପଦାର୍ଥ ମଧ୍ୟ ଉତ୍ପାଦନ କରାଯାଉଛି। ତେବେ ବର୍ତ୍ତମାନ ଏହା ଲାଭଜନକ ସ୍ଥିତିରେ ନାହିଁ। ତେଣୁ ଏହାର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ପାଇଁ ନୂଆ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।
ବୈଠକରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତ କରଣ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଅବକାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ହସ୍ତ ତନ୍ତ, ବୟନ, ହସ୍ତ ଶିଳ୍ପ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଆସିକା ବିଧାୟକ ସରୋଜ କୁମାର ପାଢୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ, କୃଷି, ସମବାୟ ତଥା ଅବକାରୀ ବିଭାଗ ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।












Click it and Unblock the Notifications