ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ: କୃଷ୍ଣଚନ୍ଦ୍ର ପାତ୍ର
ଚଳିତ ରବି ଋତୁରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ। ମନ୍ତ୍ରୀସ୍ତରୀୟ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା । ସାଟେଲାଇଟ୍ ସର୍ଭେ ଚାଲିଛି, ଫିଜିକାଲ ସର୍ଭେ ହେବ । ଜଗତସିଂହପୁର, ସୁନ୍ଦରଗଡ଼ ସହ ୨୦ଟି ଜିଲ୍ଲାରେ ସର୍ଭେ ହେବ । ଖରିଫ୍ ଋତୁରେ ୭୪ ଲକ୍ଷ ମେଟ୍ରିକ ଧାନ କିଣା ହୋଇଛି ବୋଲି କହିଲେ ମନ୍ତ୍ରୀ। ୨୨ ହଜାର ୭୭୭ କୋଟି ଟଙ୍କା କୃଷକଙ୍କୁ ଦେଇଛୁ ।ଖୁବ୍ ଶୀଘ୍ର ଟୋକନ୍ ଦେବୁ କହିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ଖରିଫ୍ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା । ଏଥିପାଇଁ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନପୁଟ ସହାୟତା ବାବଦକୁ ୫୮୬୨ କୋଟି ଟଙ୍କା ଦିଆଯାଇଛି । ସେହିଭଳି ଚଳିତ ରବି ଋତୁ ପାଇଁ ଆସନ୍ତା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ଆରମ୍ଭ ହେବ । ଚଳିତ ଋତୁରେ ୧୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୨୨ ପ୍ରତିଶତ ଅଧିକ ରହିଛି । ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ନୂତନ ଭାବେ ଧାନକିଣା ଆରମ୍ଭ ହେଉଛି । ରବି ଋତୁରେ ମୋଟ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ । ଏଥିରେ ମଧ୍ୟ ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ଖରିଫ ଭଳି ଚଳିତ ରବିଋତୁରେ ମଧ୍ୟ ଧାନ କ୍ୱିଣ୍ଟାଲ ପିଛା ୨୩୦୦ ଟଙ୍କା ଓ ଇନପୁଟ ସହାୟତା ବାବଦକୁ ୮୦୦ ଟଙ୍କା ଭାବେ ମୋଟ ୩୧୦୦ ଟଙ୍କା ଧାନକିଣାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଭାବେ ପ୍ରଦାନ କରାଯିବ । ଏଥିପୂର୍ବରୁ ସଂପୃକ୍ତ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଆଧାର ସଂଯୋଗୀକରଣ ନେଇ ଯାଞ୍ଚ କରାଯାଉଛି । ଏଥିସହ ନିର୍ଦ୍ଦେଶ ନିୟନ୍ତ୍ରଣ ଓ ଅଭିଜ୍ଞତା କେନ୍ଦ୍ରକୁ ୧୯୬୭ ମାଧ୍ୟମରେ ଧାନକିଣା ନେଇ ଅଭିଯୋଗ କରିପାରିବେ । ପ୍ରତ୍ୟେକ ମଣ୍ଡିରେ ପାନୀୟ ଜଳ ସହ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଅଦିନିଆ ବର୍ଷା ଓ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମଣ୍ଡିରେ ରଖାଯାଇଥିବା ଧାନର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ବାହାର ରାଜ୍ୟର ଧାନଗାଡ଼ି ଯେଭଳି ଆମ ରାଜ୍ୟ ଭିତରକୁ ନଆସେ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ସ୍କ୍ୱାଡ ନିୟୋଜନ ହେବ ।












Click it and Unblock the Notifications