ମୃତ୍ୟୁ ପରେ ବି ଦୁନିଆ ଦେଖିବ ସୂର୍ଯ୍ୟ ପାତ୍ରଙ୍କ ଆଖି ; ଚକ୍ଷୁ ଦାନ କଲେ ପୂର୍ବତନ ବାଚସ୍ପତି
ମରି ମଧ୍ୟ ସେ ଅମର । ତାଙ୍କ ଆଖିରେ ଦୁନିଆ ଦେଖିବ ଆଉ କିଏ । ଦୁନିଆର ସୁନ୍ଦର ଦୃଶ୍ୟକୁ ଆଉ ଜଣେ ଉପଭୋଗ କରିପାରିବ । ସେ ସମସ୍ତଙ୍କ ପାଇଁ ଉଦାହରଣ । ମରି ବି ସେ ଆଉ ଜଣକୁ ପ୍ରକୃତିକୁ ଉପଭୋଗ କରିବାକୁ ଦାନ କଲେ ତାଙ୍କ ଆଖି ।
ଗତକାଲି ତାଙ୍କର ଆଖିକୁ ଦାନ କରାଯାଇଛି । ସୂର୍ଯ୍ୟ ପାତ୍ରଙ୍କ ଶେଷ ଇଚ୍ଛା ଓ ପରିବାର ଲୋକଙ୍କ ସହମତିରେ ଚକ୍ଷୁ ଦାନ କରାଯାଇଛି । ଏକ ଡାକ୍ତରୀ ଟିମ୍ ତାଙ୍କ ଆଖିକୁ ମାତ୍ର ୧୦ ମିନିଟ୍ ଭିତରେ ସୁରକ୍ଷିତ ଭାବେ ବାହାର କରିଥିଲେ ।
ବଞ୍ଚିଥିବା ବେଳେ ସୂର୍ଯ୍ୟ ପାତ୍ର ଚକ୍ଷୁ ଦାନ କରିବାକୁ କହିଥିଲେ । ମୃତ୍ୟୁ ପରେ ତାଙ୍କ ଝିଅଙ୍କ ଠାରୁ ଅନୁମତି ଆଣି ତାଙ୍କ ଚକ୍ଷୁ ବାହାର କରାଯାଇଛି । ବର୍ତ୍ତମାନ ଏହା ଆଖିର ଲେନ୍ସ ଡାକ୍ତରଖାନାରେ ରହିବା ପରେ ପ୍ରକ୍ରିୟା ମୁତାବକ ଏହାକ ଅନ୍ୟକୁ ଦାନ କରାଯିବ ବୋଲି ସୂଚନା ମିଳିଛି ।

ଚକ୍ଷୁ ଦାନ ପରେ ଆଖିର ମାନ ପରୀକ୍ଷା ସହ ରକ୍ତ ନମୂନା ପରୀକ୍ଷା କରାଯାଇ ଚକ୍ଷୁ ପ୍ରତିରୋପଣ କରାଯିବ । ପୂର୍ବରୁ ସୂର୍ଯ୍ୟ ପାତ୍ରଙ୍କ ମାଙ୍କ ମୃତ୍ୟୁ ପରେ ଚକ୍ଷୁ ଦାନ କରାଯାଇଥିଲା ।
ସୂର୍ଯ୍ୟ ପାତ୍ରଙ୍କ ବିୟୋଗରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସ (ଟୁଇଟ) କରି କହିଛନ୍ତି ଯେ, ଏହି ବିଷୟରେ ଜାଣି ମୁଁ ଦୁଃଖିତ । ଗଞ୍ଜାମବାସୀଙ୍କ ସେବାରେ ତାଙ୍କର ଉତ୍ସର୍ଗୀକୃତ ଜୀବନ ସର୍ବଦା ସ୍ମରଣୀୟ ରହିବ । ବିଜୁ ଜନତା ଦଳକୁ ସଙ୍ଗଠିତ କରିବାରେ ତାଙ୍କର ବହୁମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଏହା ଓଡ଼ିଶାର ରାଜନୀତି ତଥା ଦଳ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଶ୍ରୀ ପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ଭଲ ବନ୍ଧୁ ଓ ସ୍ନେହୀ ସ୍ୱଭାବର ବ୍ୟକ୍ତି ଥିଲେ । ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ । ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ବରିଷ୍ଠ ବିଜେଡି ନେତା ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ପରଲୋକ ହୋଇଛି । ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୂର୍ଯ୍ୟ ପାତ୍ର ।












Click it and Unblock the Notifications