ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଭେଟିଲେ ସାଂସଦ ସୁରେଶ ପୂଜାରୀ ଓ କେ. ଭି. ସିଂଦେଓ
ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଭେଟିଲେ ସାଂସଦ ସୁରେଶ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ କେ. ଭି. ସିଂଦେଓ । ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି ସାଂସଦ ସୁରେଶ ପୂଜାରୀ ଓ ପୂର୍ବତନ ମନ୍ତ୍ରୀ କେ. ଭି. ସିଂଦେଓ ।
ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବୁଝିବା ସହିତ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଦୁଇ ନେତା। ତାଙ୍କର ଅବସ୍ଥା ସ୍ଥିର ଥିବା ବେଳେ ବିଭିନ୍ନ କ୍ଷେତ୍ର ସହିତ ଜଡିତ ବ୍ୟକ୍ତି ବିଶେଷ ତାଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ବୁଝି ଆସୁଛନ୍ତି ।

ସମ୍ବଲପୁର ଜିଲା ରେଢ଼ାଖୋଲଠାରେ ଗତ ଗୁରୁବାର ମଧ୍ୟରାତ୍ରିରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ୟ୍ୟ ଗୁରୁତର ଆହତ ହୋଇଥିଲେ । ସେହି ରାତିରେ ସମ୍ବଲପୁରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କୁ ଚିକିତ୍ସା କରାଯାଇଥିଲା । ଶୁକ୍ରବାର ଅପରାହ୍ନରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି ।
ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବର ନବୀନ ନିବାସରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତି ସାଢ଼େ ୮ଟା ପରେ ସେ (ଓଡି୧୭ ୱାଇ-୧୨୩୪) ଇନୋଭା କାର୍ ଯୋଗେ ତାଙ୍କ ବରଗଡ଼ସ୍ଥିତ ବାସଭବନକୁ ଫେରୁଥିଲେ । ରାଜପଥ ନିର୍ମାଣ କାମ ଚାଲିଥିବାରୁ ରେଢ଼ାଖୋଲ ଥାନା ବେଳଡ଼ିହ ନିକଟରେ ଗୋଟିଏ ପାର୍ଶ୍ବର ସଂକୁଚିତ ରାସ୍ତାରେ ଉଭୟ ପଟର ଯାନାବାହନ ଯାତାୟାତ କରୁଛି । ସମ୍ବଲପୁର ଦିଗରୁ ଆସୁଥିବା ଟ୍ୟାଙ୍କର ବୋଝେଇ ଟ୍ରକ୍(ଏମ୍ପି ୦୯ଏଚ୍ଜେ- ୭୪୫୧) ସହିତ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା।
ଗାଡ଼ିର ପଛପଟେ ବସିଥିବା ପ୍ରସନ୍ନଙ୍କ ମୁଣ୍ଡ ଓ ମୁହଁରେ ଜୋରଦାର ମାଡ଼ ହୋଇଛି। ସେ ଶୋଇଥିବାରୁ ସିଟ୍ ବେଲ୍ଟ ବାନ୍ଧି ନଥିଲେ। ସେହିସମୟରେ ରାସ୍ତାରେ ଯାଉଥିବା ରେଢ଼ାଖୋଲର ଜଣେ ବ୍ୟକ୍ତି ଅଟକି ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।












Click it and Unblock the Notifications