ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ୪ ସପ୍ତାହରେ ଶୁଣାଣି ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ପାଟଣାଗଡ଼: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା । ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିକୋର୍ଟ । ୪ ସପ୍ତାହ ମଧ୍ୟରେ ସମସ୍ତ ସାକ୍ଷ୍ୟ ଗ୍ରହଣ କରି ଶୁଣାଣି ସାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ହୃଷିକେଶ ରାଏ ଓ ଏସ୍ବିଏନ୍ ଭଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିବା ସରକାରୀ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ମାମଲାରେ ଆଉ ୨ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ ହୋଇ ନ ଥିବା ସରକାରୀ ଓକିଲ ଦର୍ଶାଇଛନ୍ତି ।
ଏହା ପୂର୍ବରୁ ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି ଶେଷ ପାଇଁ କହିଥିଲେ । ଆଉ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ୪ ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ମୁତାବକ, ୨୦୧୮ ଫେବ୍ରୁଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପାଟଣାଗଡ଼ ଜବାହରଲାଲ କଲେଜର ତତ୍କାଳୀନ ଅଧ୍ୟାପକ ରବୀନ୍ଦ୍ର ସାହୁ ଏବଂ ଭଇଁଷା କଲେଜର ତତ୍କାଳୀନ ଅଧ୍ୟକ୍ଷା ସଞ୍ଜୁକ୍ତା ସାହୁଙ୍କ ଏକମାତ୍ର ପୁଅ ସୌମ୍ୟଶେଖର ସାହୁଙ୍କ ବିବାହରେ ଉପହାର ଭାବେ ଆସିଥିବା ଏକ ପାର୍ସଲକୁ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା ।

ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା' ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା । ଅଭିଯୁକ୍ତ ପୁଞ୍ଜିଲାଲ ଏବେ ବଲାଙ୍ଗିର ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା ।
ଏହି ମାମଲା ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ବିଚାରାଧୀନ ରହିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ପୁଞ୍ଜିଲାଲଙ୍କ ଆବେଦନକୁ ବିଚାର କରି ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ସମସ୍ତ ସାକ୍ଷ୍ୟ ଗ୍ରହଣ କରି ଶୁଣାଣି ସାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications