ମହଙ୍ଗା ପଡିଲା ଓକିଲଙ୍କ ଆନ୍ଦୋଳନ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଖାରଜ କଲେ ସୁପ୍ରିମକୋର୍ଟ
ମହଙ୍ଗା ପଡିଲା ଓକିଲଙ୍କ ଆନ୍ଦୋଳନ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଖାରଜ କଲେ ସୁପ୍ରିମକୋର୍ଟ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘକୁ ଶକ୍ତ ଝଟକା ।
ନୂଆଦିଲ୍ଲୀ: ମହଙ୍ଗା ପଡିଲା ଓକିଲଙ୍କ ଆନ୍ଦୋଳନ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଖାରଜ କଲେ ସୁପ୍ରିମକୋର୍ଟ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘକୁ ଶକ୍ତ ଝଟକା ।

ତେବେ ଦାବି ପୂରଣ ପାଇଁ କୋର୍ଟ କାର୍ଯ୍ୟରେ ବାଧା ଦେବା ସହ ବ୍ୟାପକ ଭଙ୍ଗାରୁଜା କରିବା ଓକିଲମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେମାନଙ୍କ ଆଚରଣ ଉପରେ କ୍ଷୁବ୍ଧ ସୁପ୍ରିମ କୋର୍ଟ ହାଇକୋର୍ଟ ବେଞ୍ଚ ଦାବିକୁ ମଧ୍ୟ ଖାରଜ କରିଛନ୍ତି। ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଞ୍ଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।
ସେହିପରି କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ମତ ରଖି ଅଦାଲତ କହିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ। ଏକାଧିକ ବେଞ୍ଚ ସ୍ଥାପନର ପ୍ରଶ୍ନ ଉଠୁନାହିଁ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି । ଏହାଛଡା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତାବକୁ ମଧ୍ୟ ଖାରଜ କଲେ ସୁପ୍ରିମକୋର୍ଟ । ଯେଉଁ ଅଳ୍ପ କିଛି ଆଶା ଥିଲା ଆଇନଜୀବୀଙ୍କ ଆଚରଣ ଯୋଗୁଁ ମଉଳିଗଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ତେବେ ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ଡିଜି ସୁନୀଲ ବଂଶଲ ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ହାଜର ହୋଇଥିଲେ। ଉଭୟଙ୍କୁ ଆଜି ହାଜର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ କରିଥିଲେ। ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟଙ୍କୁ ଆଇଜି ଅବଗତ କରିଥିଲେ। ତେବେ ପୋଲିସ ଉପସ୍ଥିତ ସତ୍ତ୍ୱେ ଭଙ୍ଗାରୁଜାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ୧୫ ପ୍ଲାଟୁନ ଫୋର୍ସ ଥିବା ସତ୍ତ୍ୱେ ଏଭଳି କାହିଁକି ଘଟିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏହା ଓଡ଼ିଶା ପୋଲିସର ଚରମ ଅବହେଳା କହି ନିଜର ଅସନ୍ତୋଷ ଝାଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ।
କହିରଖୁ କି, ଦୀର୍ଘ ଦିନ ଧରି ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆଇନଜୀବୀ ମାନେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିଲେ। ଏହି ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏ ସଂପର୍କୀତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଇନଜୀବୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। କିନ୍ତୁ ସେମାନେ କିଛି ବି ଶୁଣି ନଥିଲେ। ସୋମବାର ସମ୍ବଲପୁରରେ ଆଇନଜୀବୀମାନେ ସେମାନଙ୍କ ଉଗ୍ରତା ପ୍ରଦର୍ଶନ କରି କୋର୍ଟ ପରିସରରେ ଭଙ୍ଗାରୁଜା କରିଥିଲେ। ପୋଲିସ୍ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।
ଅନ୍ୟପଟେ ଗିରଫଦାରୀ ଓ ଲାଇସେନ୍ସ ସସପେଣ୍ଡ୍ ପରେ ନଇଁଲା ପଶ୍ଚିମ ଓଡିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି। ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ଦାବିରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିବାକୁ କମିଟି ନିଷ୍ପତ୍ତି ନେଇଛି। ସେପଟେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଆଉ ୧୪ ଓକିଲଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି । ୧୮ ମାସ ପର୍ଯ୍ୟନ୍ତ ୧୪ ଜଣ ଓକିଲଙ୍କ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି । ଗତକାଲିର ୨୯ ଜଣଙ୍କୁ ମିଶାଇ ମୋଟ ୪୩ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ ହୋଇଛି ।












Click it and Unblock the Notifications