ରାସନ କାର୍ଡକୁ ନେଇ ଅପଡେଟ୍ ଦେଲେ ଯୋଗାଣ ମନ୍ତ୍ରୀ
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଖର୍ଚ୍ଚଦାବି ଗୃହରେ ଆଲୋଚନା ହୋଇଛି। ବିଭାଗ ପକ୍ଷରୁ ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ଇ-କେୱାଇସିରେ ଆୟକର ଦାଖଲ କରିଥିବା କେତେକ ହିତାଧିକାରୀ କାର୍ଡ ନେଇଥିବା ଜଣାପଡ଼ିଛି । ସେମାନଙ୍କ ତାଲିକା ପ୍ରସ୍ତୁତ ହୋଇଛି ।
ଅଧିକାରୀମାନେ ଘରକୁ ଘର ଯାଇ ଯାଞ୍ଚ କରିବା ପାଇଁ ଜିଲାପାଳଙ୍କୁ ତାଲିକା ଦିଆଯାଇଛି । ଆୟକର ଦାଖଲ କରିଥିବା ସମସ୍ତ ହିତାଧିକାରୀଙ୍କ କାର୍ଡ କଟିବ ନାହିଁ। ଯେଉଁମାନଙ୍କର କାର, କୋଠଘର, ଭଲ ଆୟ ଥିବା ଯାଞ୍ଚରୁ ସ୍ପଷ୍ଟ ହେଲେ କାର୍ଡ କାଟି ଦିଆଯିବ ।
ଗ୍ରାମାଞ୍ଚଳରେ ମାସିକ ଆୟ ୧୦ ହଜାର ଏବଂ ସହରାଞ୍ଚଳରେ ମାସିକ ଆୟ ୧୫ ହଜାର ଥିବା ହିତାଧିକାରୀଙ୍କୁ ଯୋଜନାରୁ ବାଦ ଦିଆଯିବ ବୋଲି କେନ୍ଦ୍ରୀୟ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଦୈନିକ ମଜୁରି ବଢ଼ିଛି। ଏହି ମାନଦଣ୍ଡକୁ ଦେଖିଲେ ଅନେକ ହିତାଧିକାରୀ ବାଦ ପଡ଼ିବେ ବୋଲି ସରକାରୀ ଦଳର କିଛି ସଦସ୍ୟ ଏବଂ ବିରୋଧୀ ଦଳ ସଦସ୍ୟମାନେ ଅଭିଯୋଗ ଆଣିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୯୬ ଲକ୍ଷ ୨୨ ହଜାର ୪୩୧ ପରିବାରରେ ୩ କୋଟି ୨୬ ଲକ୍ଷ ୭ ହଜାର ୯୭୩ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହୋଇଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଲକ୍ଷ ୩୩ ହଜାର ୧୧ଜଣ ପରିବାରର ୪ଲକ୍ଷ ୨୦ ହଜାର ୯୦୭ଜଣ ଯୋଗ୍ୟ ହିତାଧିକାରୀ ଉପକୃତ ହେଉଛନ୍ତି। ହିତାଧିକାରୀଙ୍କୁ ୧୧ ହଜାର ୮୧୦ ସୁଲଭ ମୂଲ୍ୟ ଦୋକାନରେ ବାର୍ଷିକ ୨୨.୮୮ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି। ରେସନ କାର୍ଡକୁ ସ୍ବଚ୍ଛ ଓ ପାରଦର୍ଶୀ କରିବା ନିମନ୍ତେ ହିତାଧିକାରୀଙ୍କ ଇ-କେୱାଇସି କରାଯାଉଛି। ୧୧ ହଜାର ୮୧୦ଟି ଖାଉଟି ସୁଲଭ ମୂଲ୍ୟ ଦୋକାନରେ ଇ-କେୱାଇସି ଅପଡେଟ କରାଯାଉଛି। ମାର୍ଚ୍ଚ ୨୦ ସୁଦ୍ଧା ୩ କୋଟି ୧ ଲକ୍ଷ ୯୨ହଜାର ୩୨୭ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି।
ରାଜ୍ୟ ବାହାରେ ଥିବା ୧ ଲକ୍ଷ ୩୯ ହଜାର ୪୯୩ ଜଣ ହିତାଧିକାରୀଙ୍କ ଇ-କେୱାଇସି ହୋଇଛି। ସୁତରାଂ ସମୁଦାୟ ୯୧ଧ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ହୋଇଛି। ଏହି ଯାଞ୍ଚ ଦ୍ବାରା ମାର୍ଚ୍ଚ ୨୪ ସୁଦ୍ଧା ୪ ଲକ୍ଷ ୩୧ ହଜାର ୮୪୬ଜଣ ମୃତ ହିତାଧିକାରୀ ଚିହ୍ନଟ ହୋଇଛି। ସେହିପରି ୨୪ ହଜାର ୧୨୨ଜଣ ଅଯୋଗ୍ୟ ରେସନ କାର୍ଡଧାରୀ ଯାହାଙ୍କର ପରିବାର ସଦସ୍ୟ ସଂଖ୍ୟା ୯୧ ହଜାର ୨୮୦ଙ୍କୁ ଚିହ୍ନଟ କରାଯାଇ ଯୋଜନାରୁ ବାଦ୍ ଦିଆଯାଇଛି।**












Click it and Unblock the Notifications