୯ ମାସ ପରେ ମହାକାଶରୁ ଫେରୁଛନ୍ତି ସୁନୀତା ୱିଲିୟମ୍ସ; ପୂର୍ବାହ୍ନ ୧୦ଟା ୩୫ ମିନିଟରେ ସରିଲା ଅନ୍ ଡକିଂ
୯ ମାସ ପରେ ମହାକାଶରୁ ଫେରୁଛନ୍ତି ସୁନୀତା ୱିଲିୟମ୍ସ । ସଫଳ ହେଲା ସ୍ପେଶ୍ କ୍ରାଫ୍ଟ୍ର ଅନ୍ଡକିଂ ପ୍ରକ୍ରିୟା । ପୂର୍ବାହ୍ନ ୧୦ଟା ୩୫ ମିନିଟରେ ସରିଲା ଅନ୍ ଡକିଂ ।
ଏହି ମହାକାଶଯାନ ଆମେରିକୀୟ ଇଷ୍ଟର୍ଣ୍ଣ ଟାଇମ୍ (ଇଟି) ରାତ୍ରି ପ୍ରାୟ ୧ଟା ୫ ମିନିଟ୍ (ଭାରତୀୟ ସମୟ ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୫ ମିନିଟ୍)ରେ ଆଇଏସ୍ଏସ୍ରୁ ବାହାରିଛି ଏବଂ ସେହିଦିନ ଅପରାହ୍ଣ ପ୍ରାୟ ୫ଟା ୫୭ ମିନିଟ୍ (ଭାରତୀୟ ସମୟ ବୁଧବାର ଭୋର ୩ଟା ୨୭ ମିନିଟ୍)ରେ ଫ୍ଲୋରିଡ଼ା ଉପକୂଳରେ ଅବତରଣ କରିବାର ଯୋଜନା ରହିଛି । ଅର୍ଥାତ୍ ସେମାନଙ୍କୁ ମହାକାଶ କେନ୍ଦ୍ରରୁ ବାହାରି ପୃଥିବୀରେ ପହଞ୍ଚିବା ଲାଗି ପ୍ରାୟ ୧୭ ଘଣ୍ଟା ସମୟ ଲାଗିବ।

ନାସା' ସମଗ୍ର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ସିଧା ପ୍ରସାରଣ ତାହାର ଟିଭି, ଅଫିସିଆଲ୍ ୱେବ୍ସାଇଟ୍ ଓ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ କରିବ। ମହାକାଶଚାରୀମାନେ ଫ୍ଲୋରିଡ଼ା ସମୁଦ୍ର ଉପକୂଳରେ ଅବତରଣ କରିବେ। ସଂପ୍ରତି ସେମାନଙ୍କ ପ୍ରତ୍ୟାବର୍ତ୍ତନ ସମୟ ବୁଧବାରକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅନୁକୂଳ ପାଗକୁ ଦେଖି ଅବତରଣ ଆଗୁଆ କରିବା ପାଇଁ ନାସା ନିଷ୍ପତ୍ତି ନେଇଛି।
ଫ୍ଲୋରିଡ଼ାରେ ଅବତରଣ କରିବା ପରେ ମହାକାଶଚାରୀମାନଙ୍କୁ ନାସାର ଜନ୍ସନ୍ ସ୍ପେସ୍ ସେଣ୍ଟରକୁ ନିଆଯିବ। ଏହି ସେଣ୍ଟର ଟେକ୍ସାସ୍ର ହ୍ୟୁଷ୍ଟନ୍ରେ ରହିଛି। ସେଠାରେ ସେମାନଙ୍କର ଡାକ୍ତରୀ ପରୀକ୍ଷାନିରୀକ୍ଷା କରାଯିବ। ଏହାପରେ ରିକଭରି ପ୍ରୋଟୋକଲ୍ ଅନୁସାରେ ସେମାନେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସହ ଖାପ ଖୁଆଇବେ। ପରବର୍ତ୍ତୀ ସମୟରେ ସେମାନେ ମହାକାଶ କେନ୍ଦ୍ରରେ ଦୀର୍ଘକାଳ ରହଣିର ଅନୁଭୂତି ସଂପର୍କରେ ବଖାଣିବେ।
ଉଲ୍ଲେଖଯୋଗ୍ୟ, ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଆଣିବା ଲାଗି 'ନାସା' ପକ୍ଷରୁ ସ୍ପେସଏକ୍ସ କ୍ରୁ-୧୦ ମାର୍ଚ୍ଚ ୧୫ ତାରିଖରେ ପଠାଯାଇଥିଲା। ଫାଲକନ୍ ୯ ରକେଟ୍ ଜରିଆରେ କ୍ରୁ ଡ୍ରାଗନ୍ କ୍ୟାପସୁଲ୍କୁ ପଠାଯାଇଛି। ମାର୍ଚ୍ଚ ୧୭ ତାରିଖରେ କ୍ରୁ-୧୦ ମହାକାଶ ଯାନ ଆଇଏସ୍ଏସ୍କୁ ସଫଳତାର ସହିତ ଡକିଂ କରାଯାଇଛି। ବୋଇଂର ଷ୍ଟାର୍ଲାଇନର୍ ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁଁ ଉଭୟ ମହାକାଶଚାରୀ ଦୀର୍ଘଦିନ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ରହିଛନ୍ତି। ସେମାନଙ୍କର ବିସ୍ତୃତ ରହଣି ସମୟରେ ୱିଲିୟମ୍ସ ଓ ୱିଲ୍ମୋର ବିଭିନ୍ନ ବୈଜ୍ଞାନିକ ପରୀକ୍ଷଣ କରିବା ଏବଂ ଆଇଏସ୍ଏସ୍ର ପରିଚାଳନା ଦକ୍ଷତା ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।












Click it and Unblock the Notifications