ଆଜି ଦୁର୍ଲଭ ସୁନାବେଶ: ଜାଣନ୍ତୁ, କେଉଁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର ?
ଜାଣନ୍ତୁ, କେଉଁ କେଉଁ ଅଳଙ୍କାରରେ ସଜ୍ଜିତ ହୁଅନ୍ତି ତିନି ଠାକୁର ?
ପୁରୀ: ଆଜି ଶ୍ରୀଜିଉଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧା ମୂରତି । ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଠାକୁରଙ୍କ ୩ ରଥ ପହଞ୍ଚିବା ପରେ ମହାବାହୁଙ୍କ ସୁନାବେଶ ହୋଇଥାଏ।

ବର୍ଷକୁ ୪ଥର ମହାପ୍ରଭୁଙ୍କର ସୁନାବେଶ ଧାରଣ କରନ୍ତି। କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ସୁନାବେଶ ହେଉଥିବା ବେଳେ ବାହୁଡ଼ା ଯାତ୍ରାର ଅନ୍ତିମ ଦିନ ବଡଦାଣ୍ଡରେ ରଥ ଉପରେ ହିଁ ଶ୍ରୀବିଗ୍ରହଙ୍କ ସୁନାବେଶ ହୋଇଥାଏ । ଭଗବାନଙ୍କ ସୁନାବେଶରେ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନେ ଅଳଙ୍କୃତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଠାକୁର ପିନ୍ଧିଥାନ୍ତି କେଉଁ ଅଳଙ୍କାର ?
ବଡ଼ଭାଇ ବଳଭଦ୍ର:
ଅଳଙ୍କାର ଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ହଳ ଏବଂ ମୁଷଳ ।
ଭଉଣୀ ସୁଭଦ୍ରା:
କିରୀଟ, ଓଡ଼ିଆଣୀ, କାନ ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତୀ ମାଳି ଭଳି ଆଭୁଷଣ ପରିଧାନ କରିଥାନ୍ତିି ।
ପ୍ରଭୁ ଜଗନ୍ନାଥ :
ଜଗମୋହନଙ୍କ ଶ୍ରୀଅଙ୍ଗରେ ମଧ୍ୟ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ ଇତ୍ୟାଦି ସହିତ ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ସୁବର୍ଣ୍ଣ ଚକ୍ର ଏବଂ ରୋପ୍ୟ ଶଙ୍ଖରେ ବିଭୁଷିତ ହୋଇଥାନ୍ତି।












Click it and Unblock the Notifications