ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଳବନ୍ଦୀ; ଫୁଟେ ଉଚ୍ଚର ପାଣି
ସୂର୍ଯ୍ୟ ମନ୍ଦିର କୋଣାର୍କ ହୋଇଛି ଜଳବନ୍ଦୀ । ଫୁଟେ ଉଚ୍ଚର ପାଣି । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଜି କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ମନ୍ଦିର ପରିସରରେ ପାଣି ଜମି ରହିଛି । ଯେଉଁ ରାସ୍ତା ଦେଇ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରାଯାଏ, ପାର୍ଶ୍ବ ରାସ୍ତା ଦେଇ ପର୍ଯ୍ୟଟକ ମନ୍ଦିର ବେଢ଼ା ବୁଲନ୍ତି ସେ ସବୁ ବୁଡ଼ି ଯାଇଛି । ଫଳରେ ପର୍ଯ୍ୟଟକ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।
କିଛି ପର୍ଯ୍ୟଟକ ପାଣି ଭିତରେ ପଡ଼ି ବି ଯାଇଛନ୍ତି। ପରିସ୍ଥିତିକୁ ଦେଖି ପମ୍ପସେଟ୍ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ କରାଯାଉଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏ ପରିସ୍ଥିତି କିଛି ନୂଆ ନୁହେଁ। ଅଳ୍ପ ସମୟ ବର୍ଷାରେ ବି ପାଣି ଏଠି ଲହଡ଼ି ଭାଙ୍ଗେ।
ଏପରି ସମସ୍ୟା ବର୍ଷ ବର୍ଷ ଧରି ଏଠାରେ ଲାଗି ରହିଥିଲେ ବି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଆନ୍ତରିକତା ପ୍ରକାଶ ପାଉନି। ଫଳରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଏଠାରୁ ଖରାପ ଅନୁଭୂତି ନେଇ ଫେରୁଛନ୍ତି ।

ଭିଜୁଛି ସାରା ଓଡ଼ିଶା। ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ବର୍ଷୁଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ହେଉଛି । ଏହା ଆଜି ଦିନ ସାରା ଜାରି ରହିବ ବୋଲି ସୂଚନା ମିଳିଛି । ଏଥିପାଇଁ ଆଜି ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଭୁବନେଶ୍ବରରେ ବି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥିପାଇଁ ସତର୍କତା ସୂଚନା ଜାରି କରାଯାଇଛି । ଅନ୍ୟପଟେ କେନ୍ଦୁଝରରେ ପ୍ରବଳ ବର୍ଷା। ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ସହର । ଗତକାଲି ରାତିରୁ ଲଗାଣ ବର୍ଷା ଫଳରେ ସହରରେ ଲାଗି ରହିଛି ଜଳବନ୍ଦୀ ଅବସ୍ଥା ।
କେନ୍ଦୁଝର ସହରର ସ୍ପଞ୍ଜ କଲୋନୀ, ଧାଙ୍ଗରପଡା, ଭାଲକିପାତଳା, ଗ୍ରାମ ଶ୍ରୀ କଲୋନୀ ଆଦି ଅଞ୍ଚଳରେ ମୁଖ୍ୟ ରାସ୍ତାରେ ୩ ଫୁଟର ପାଣି ଲହଡ଼ି ଭାଙ୍ଗୁଛି । ସେହିଭଳି ଲୋକଙ୍କ ଘର ଭିତରେ ପାଣି ଜମି ରହିବା ଫଳରେ ଅସ୍ତବ୍ୟସ୍ତ ହୋଇ ପଡିଛି ସାଧାରଣ ଜନ ଜୀବନ। ସେହିଭଳି ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳରେ ବି ସମସ୍ୟା ସୃଷ୍ଟି ହୋଇଛି।












Click it and Unblock the Notifications