ଆଜିଠାରୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ଖରାଛୁଟି
ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି । ଏଥିରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାରଠାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ବିଭାଗର ଉପନିର୍ଦ୍ଦେଶକ ରଜତ କୁମାର ମାନସିଂହ ଏନେଇ ସମସ୍ତ ରେଜିଷ୍ଟ୍ରାର, ପିଜି କାଉନସିଲ୍ ଚେୟାରମ୍ୟାନ, ପ୍ରିନ୍ସିପାଲଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।
ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଛାତ୍ରୀଛାତ୍ରଙ୍କ ଲାଗି ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ହେଲେ ଶିକ୍ଷକ ଓ ଅଣଶିକ୍ଷକମାନେ ନିୟମିତ ଭାବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଆସିବେ। ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ସାଧାରଣ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ନିୟମିତ ଭାବରେ କାର୍ଯ୍ୟାଳୟରେ ଯୋଗଦେବେ।

ଚଳିତବର୍ଷର ସମସ୍ତ ପରୀକ୍ଷା କ୍ୟାଲେଣ୍ଡର ଅନୁସାରେ ଅନୁଷ୍ଠିତ ହେବ। ଯଦି କୌଣସି ଛାତ୍ର ଏହି ସମୟ ମଧ୍ୟରେ ହଷ୍ଟେଲରେ ରହିବାକୁ ଚାହାନ୍ତି, ତେବେ ସେମାନଙ୍କ ପାଇଁ ହଷ୍ଟେଲ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଥିବାରୁ ବୁଧବାରଠାରୁ ଅଙ୍ଗନଓ୍ବାଡ଼ି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିଛି।












Click it and Unblock the Notifications