ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ବନାଗ୍ନି ସଙ୍କଟ; ବର୍ତ୍ତମାନ ସୁଦ୍ଧା ୮୦୦୦ ଜାଗାରେ ଜଳୁଛି ଜଙ୍ଗଲ !
ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ବନାଗ୍ନି ସଙ୍କଟ । ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିଲାଣି । ବର୍ତ୍ତମାନ ସୁଦ୍ଧା ୮ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଛି ଯେଉଁଥିରୁ ୯୯.୫ ପ୍ରତିଶତ ଲିଭା ସରିଛି । ଏଥର ନିଆଁ ଲିଭାଇବା ପାଇଁ ୩୬୭ ସ୍କ୍ବାଡ୍ ନିୟୋଜିତ ହୋଇଛନ୍ତି ।
ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ୨ ହଜାର ୩୬୫ ସେଫଟି କିଟ୍, ୪ ହଜାର ୭୯୦ ଫାୟାର ଗ୍ଲୋଭ୍ସ ଦେବା ସହ ୩୩୦ ଫାୟାର ଗାଡ଼ି ନିୟୋଜିତ କରାଯାଇଛି । ଗତବର୍ଷ ଏହି ସମୟ ସୁଦ୍ଧା ୨୭ ହଜାର ପଏଣ୍ଟରେ ନିଆଁ ଲାଗିଥିଲା ।
ଏହି ସମ୍ପର୍କରେ ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ କହିଛନ୍ତି ଯେ, ଜଙ୍ଗଲରେ ଫାୟାର ଲାଇନ ଚିହ୍ନଟ କରିବା ସହ ଜନ ସଚେତନ କରାଯାଉଛି । ତେବେ ଯଦି ଅଧିକରୁ ଅଧିକ ଜଙ୍ଗଲରେ ନିଆଁ ବ୍ୟାପେ ତେବେ ଓଡ୍ରାଫ ଟିମର ସହାୟତା ନିଆଯିବ। ଜଙ୍ଗଲ ନିଆଁକୁ ନେଇ ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକରେ ଲୋକମାନଙ୍କ ମଧ୍ୟରେ ସଚେତନତା କରାଯାଉଛି ।

କେବଳ ଗାଁ ନୁହେଁ ଏପରିକି ଜିଲ୍ଲା ସ୍ତରରେ ମଧ୍ୟ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ନିଆଁ ଲିଭାଇବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି । ଯଦି କୌଣସି ବ୍ୟକ୍ତି ନିଆଁ ଲଗାଇବା ସମୟରେ ଧରା ପଡ଼ନ୍ତି ତେବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଭାଗ ।
ବିଶେଷ ଭାବରେ ମାଲକାନଗିରି ଜିଲ୍ଲା ସମେତ ଅନେକ ଜିଲ୍ଲାରେ ବିଭିନ୍ନ ଜଙ୍ଗଲରେ ପୋଡୁ ଚାଷ କରାଯାଇଥାଏ । ସେହି ପୋଡୁ ଚାଷ କରିବା ପାଇଁ ବିଶେଷ ଭାବରେ ନିଆଁ ଲଗାଇଥାନ୍ତି । ଏହାକୁ ବଂଶାନୁକ୍ରମିକ ଭାବରେ ପୋଡ଼ୁ ଚାଷ କରିଆସୁଛନ୍ତି । ହେଲେ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କରାଯାଉଛି ।
ଏହା ସହ ମହୁଲ ଆଣିବା ପାଇଁ ଜଙ୍ଗଲରେ ନିଆଁ ମଧ୍ୟ ଲାଗିଛି । ଏହା ସହ ଜୀବଜନ୍ତୁଙ୍କୁ ଶିକାର କରିବା ପାଇଁ ମଧ୍ୟ ଗୋଟିଏ ପାର୍ଶ୍ଵ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ଏପରିକି ଅନେକ ଲୋକ ନିଶା ଦ୍ରବ୍ୟ ସେବନ କରି ସିଗାରେଟ ତଳେ ପାକାଇଦେଇଥାନ୍ତି । ତେଣୁ ନିଆଁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ।
ତେବେ ଯଦି ଓଡ଼ିଶା ଜଙ୍ଗଲରେ ୧ ହଜାର ପଏଣ୍ଟରେ ନିଆଁ ଲାଗେ ତେବେ ଜଙ୍ଗଲ ନିଆଁ ପାଇଁ ଓଡ୍ରାଫ ଟିମ ନିୟୋଜନ କରିବା ପାଇଁ ଏସଆରସିଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ବାଳ ।












Click it and Unblock the Notifications