Subhadra Yojana: ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି । ବୟସ କମ୍ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆସନ୍ତାକାଲିଠାରୁ ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ । ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ୍ ଖୋଲିବ ନାହିଁ । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ୨୦୨୫ ଏପ୍ରିଲ ପହିଲା ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା'ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ ।

ଉଲ୍ଲେଖଯୋଗ୍ୟ ଯେ, ବାର୍ଷିକ ୧୮ହଜାର ଟଙ୍କା ବୃତ୍ତି ପାଉଥିଲେ 'ସୁଭଦ୍ରା' ପାଇଁ ଅଯୋଗ୍ୟ ହେବେ ଛାତ୍ରୀ । ଛାତ୍ରୀମାନେ ବାର୍ଷିକ ୧୮ ହଜାର ଟଙ୍କାରୁ ଅଧିକ ଛାତ୍ରବୃଦ୍ଧି ପାଉଛନ୍ତି କି ? କୌଣସି ମହିଳାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ହଜାର ଟଙ୍କା କିମ୍ବା ଏହାଠାରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ମିଳୁଛି କି ? ଯଦି ଆପଣ ଏପରି କିଛି ସରକାରୀ ସହାୟତା ପାଉଥିବେ ତେବେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ । ଏ ନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ। ଉଚ୍ଚଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ ।
'ସୁଭଦ୍ରା' ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ ୨୧ବର୍ଷ କିମ୍ବା ତା'ଠାରୁ ଅଧିକ ଏବଂ ୬୦ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ ୧୮ହଜାର ଟଙ୍କା କିମ୍ବା ତା'ଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ସେ କ୍ଷେତ୍ରରେ ସଂପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହେବେ। ଏ ନେଇ ବିଭାଗକୁ ଅନେକ ଅଭିଯୋଗ ମିଳିଛି । ଛାତ୍ରୀମାନଙ୍କୁ ଯେଉଁ ବୃତ୍ତି ରାଶି ପ୍ରଦାନ କରାଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ୟ୍ୟରେ ବ୍ୟୟ ହେଉଛି, ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇ ପାରୁନାହିଁ । ଏନେଇ ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ କେଉଁ ଛାତ୍ରୀମାନେ ୧୮ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ନେଇଛନ୍ତି ତା\'ର ସମସ୍ତ ତଥ୍ୟ ପ୍ରଦାନ କରିବା ଲାଗି ଚିଠି ଲେଖିଛି ବିଭାଗ ।












Click it and Unblock the Notifications