ଆଜି ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା: ୨ୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ
ଆଜି ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା। ବାରିପଦା ସମାବେଶରେ ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ୨ୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ଟଙ୍କା। ସୁଭଦ୍ରା'ପାଇଁ ଏଯାଏଁ କୋଟିଏରୁ ଊର୍ଦ୍ଧ୍ବ ପଞ୍ଜୀକରଣ କରିଛନ୍ତି।

ସୋମବାର ସୁଦ୍ଧା ଓଡ଼ିଶାର ୧ କୋଟି ୨୦ ହଜାର ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିବା "ସୁଭଦ୍ରା" ଯୋଜନାରେ ଏକ କୋଟିରୁ ଅଧିକା ହିତାଧିକାରୀଙ୍କୁ ପଞ୍ଜୀକୃତ କରିବା ଏକ ବଡ ଉପଲବ୍ଧି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
ଆସନ୍ତା ଅକ୍ଟୋବର ୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବେ । ଏହା ସହ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ତାହା ପରୀକ୍ଷା କରିବା ସହ ସ୍ଵଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପଠାଇଯିବାର ବ୍ୟବସ୍ଥା କରାଯାଇଥିଲା।
କିନ୍ତୁ ଦ୍ଵିତୀୟ ପର୍ଯ୍ୟାୟ ନିମନ୍ତେ ଏପରି କିଛି ବ୍ୟବସ୍ଥା ଏଯାବତ ଆରମ୍ଭ କରାଯାଇନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୋସିଆଲ ମିଡିଆରେ ଚାଲୁଥିବା ଏହି ମିଥ୍ୟା ଖବର ଦ୍ଵାରା ଭ୍ରମିତ ନ ହେବା ପାଇଁ ବିଭାଗ ତରଫରୁ ଅନୁରୋଧ କରାଯାଉଛି। "ସୁଭଦ୍ରା" ଯୋଜନା ସମ୍ବନ୍ଧୀୟ ସମସ୍ତ ଅପଡେଟ ଖବର ପାଇଁ "ସୁଭଦ୍ରା"ର ଅଫିସିଆଲ ୱେବସାଇଟ କିମ୍ବା ଅଫିସିଆଲ ସୋସିଆଲ ମିଡିଆକୁ ଅନୁସରଣ କରନ୍ତୁ ଅବା ଟୋଲ ଫ୍ରୀ ନମ୍ବର(୧୪୬୭୮)କୁ କଲ କରନ୍ତୁ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଉଛି












Click it and Unblock the Notifications