Subhadra yojana : ଦଶହରାରେ ପୁଣି ଖାତାକୁ ଯିବ ସୁଭଦ୍ରା ଟଙ୍କା, ଏମାନଙ୍କୁ ମିଳିବନି
ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କ ଆକାଉଣ୍ଟକୁ ଯାଇସାରିଛି ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ସୁଭଦ୍ରା ଟଙ୍କା ପାଇଥିବା ବେଳେ ୨ୟ ପର୍ଯ୍ୟାୟରେ ଆଉ ୪୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କ ଖାତାକୁ ଆସନ୍ତା ଅକ୍ଟୋବର ୯ ତାରିଖରେ ଯିବ ଟଙ୍କା ।
ସେପଟେ ସୁଭଦ୍ରା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଉର୍ଦ୍ଧ୍ବ ମହିଳା ଏଥିପାଇଁ ଆବେଦନ କରିସାରିଲେଣି । ତେବେ ପରବର୍ତ୍ତୀ ପର୍ଯ୍ୟାୟ ଟଙ୍କା କେତେ ଆକାଉଣ୍ଟକୁ ଯିବ ସେ ନେଇ ହିତାଧିକାରୀ ଦ୍ବନ୍ଦ୍ବରେ ଥିଲେ । ଆଉ ସମସ୍ତଙ୍କ ଦ୍ବନ୍ଦ୍ବ ଦୂର କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଯେଉଁମାନଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ଯାଇ ନାହିଁ ସେମାନେ ଆସନ୍ତା ଅକ୍ଟୋବର ୯ ତାରିଖ ଅର୍ଥାତ ଦୁର୍ଗା ପୂଜାରେ ଟଙ୍କା ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବାଣ୍ଟିବେ ଟଙ୍କା ।ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନାହିଁ ସେମାନେ ବ୍ୟସ୍ତ ନହେବା ପାଇଁ ପୂର୍ବରୁ କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସମସ୍ତଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ଯିବ ଟଙ୍କା । ଏଥିପାଇଁ ଆଦୌ ବ୍ୟସ୍ତ ନହେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ସବୁ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ପହଞ୍ଚିବ। ପଞ୍ଜୀକରଣ ପ୍ରକ୍ରିୟା ଏବେ ବି ଜାରି ରହିବା ସହିତ ପର୍ଯ୍ୟାୟ କ୍ରମେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ ହେବ। ପଞ୍ଜୀକରଣ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ। ତେଣୁ ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ।
ଡିସେମ୍ବର ମାସରେ ଆବେଦନ କଲେବି ପ୍ରଥମ କିସ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ମହିଳା। ରକ୍ଷା ବନ୍ଧନ ପାଇଁ ପ୍ରଥମ କିସ୍ତି ଅର୍ଥ ଆରମ୍ଭ ହୋଇଥିବା ବେଳେ ଯେଉଁ ମାନେ ବି ଆବେଦନ କରିଛନ୍ତି ଯୋଗ୍ୟ ମହିଳାଙ୍କୁ ପର୍ଯ୍ୟାୟ କ୍ରମେ ଟଙ୍କା ପହଞ୍ଚିବ। ତେବେ ଅନେକ ଅଯୋଗ୍ୟ ମହିଳା ବି ସୁଭଦ୍ରା ଟଙ୍କା ପାଇବା ପାଇଁ ଆବେଦନ କରିଛନ୍ତି । କିନ୍ତୁ ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ନିର୍ଦ୍ଧିଷ୍ଟ ବର୍ଗର ମହିଳା ହିଁ ସୁଭଦ୍ରା ଟଙ୍କା ପାଇବେ । ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ ନାହିଁ ।
ତେବେ କେଉଁମାନେ ସୁଭଦ୍ରା ଟଙ୍କା ପାଇବେନି? ଆବେଦନ କରିଥିଲେ ବି କଟିଯିବ ନାଁ । ଜାଣନ୍ତୁ ରାଜ୍ୟର ସରକାରଙ୍କ ଗାଇଡଲାଇନ୍ କଣ ରହିଛି । ଯେଉଁ ମହିଳାମାନେ ନିମ୍ନଲିଖିତ ମାନଦଣ୍ଡ ମଧ୍ୟରୁ କୌଣସିଟି ପୂରଣ କରନ୍ତି, ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ । ବା ସେମାନଙ୍କର ନାଁ କାଟି ଦିଆଯିବ ।
ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ଥିବା ମହିଳାଙ୍କ ବୟସ ୧ ଜୁଲାଇ, ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ । ସେହିଭଳି ୬୦ ବର୍ଷରୁ ଅଧିକ କୌଣସି ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ ନାହିଁ । ଏମାନେ ଯଦି ଆବେଦନ କରିଥିବେ ତେବେ ନାଁ କଟିଯିବ ।
ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ:
କ. ଯେଉଁ ମହିଳା ମାସକୁ ମୋଟ ୧୫00 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି ।
ଖ. ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି :
୧. ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ ।
୨. ଆୟକର ଦେଉଥିବେ ।
୩. ଯେ କୌଣସି ସହରାଞ୍ଚଳ ଶ୍ଵାୟତ୍ତ ଶାସନ ସଂସ୍ଥା (Urban Local body) କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧୀ ହୋଇଥିବେ (କେବଳ ୱାର୍ଡ ମେମ୍ବର, ସ୍ଥାନୀୟ ପରିଷଦ (Councillor) ସଦସ୍ୟ ବ୍ୟତୀତ)
୪. ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ (undertaking) / ବୋର୍ଡ / ସ୍ଥାନୀୟ ସଂସ୍ଥା (local body) / ସଂଗଠନ / ନିୟମିତ / ସ୍ଥାୟୀ / ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ । ଯଦି ଏହି ଯୋଜନାର ଅନ୍ୟ ସମସ୍ତ ମାନଦଣ୍ଡ ପୂରଣ କରୁଥିଲେ, ତେବେ, ପାରିଶ୍ରମିକ ଗ୍ରହଣ କରୁଥିବା ସମସ୍ତ କର୍ମଚାରୀ ଏବଂ ଆଉଟସୋର୍ସିଂ ଏଜେନ୍ସି ମାଧ୍ୟମରେ ନିୟୋଜିତ ସମସ୍ତ କର୍ମଚାରୀ ଏହି ଯୋଜନା ଅଧୀନରେ ଯୋଗ୍ୟ ବିବେଚିତ ହେବେ ।
୫. ଯେ କୌଣସି ସରକାରୀ ବିଭାଗ / ଅଣ୍ଡରଟେକିଂ / ବୋର୍ଡ / ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧୀ ହୋଇଥିବେ ।
୬. ଟ୍ରାକ୍ଟର, ମିନି-ଟ୍ରକ୍, ଛୋଟ ବାଣିଜ୍ୟିକ ଯାନ ଏବଂ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ।
ଗ. ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିବ ।
(ବି:ଦ୍ର: ଏହି ଯୋଜନା ପାଇଁ, ପରିବାରର ସଂଜ୍ଞା କହିଲେ ଜାତୀୟ ଖାଦ୍ଯ ସୁରକ୍ଷା ଆଇନ / ରାଜ୍ୟ ଖାଦ୍ଯ ସୁରକ୍ଷା ଯୋଜନା (NFSA / SFSS) ରେ ପରିଭାଷିତ ଥିବା ପରିବାର କୁ ବୁଝାଏ )












Click it and Unblock the Notifications