ସୁଭଦ୍ରା ଯୋଜନା: କାଲି ବିଏମସି ଅନ୍ତର୍ଗତ ସବୁ ବିଶ୍ୱବିଦ୍ୟାଳୟ ଛୁଟି
କାଲି ରାଜଧାନୀର ସବୁ ବିଶ୍ୱବିଦ୍ୟାଳୟ ବି ଛୁଟି । ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୟୁନିଭର୍ସିଟିଗୁଡ଼ିକ ହିଁ ଆସନ୍ତା କାଲି ଛୁଟି ରହିବ। ସମସ୍ତ ସରକାରୀ, ଘରୋଇ, ଡିମ୍ ଡ ବିଶ୍ୱବିଦ୍ୟାଳୟକୁ ଏ ସଂପର୍କରେ ନିର୍ଦ୍ଦେଶ ଜାରି କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ପୂର୍ବରୁ ବିଏମସି ଅନ୍ତର୍ଗତ ସମସ୍ତ ସ୍କୁଲ ଏବଂ କଲେଜକୁ ଦିନକ ପାଇଁ ଛୁଟି ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର।
ଆସନ୍ତାକାଲି ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ପ୍ରୋଗ୍ରାମ୍ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ ନିମନ୍ତେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସୁଥିବାରୁ ଛୁଟି ରହିବ ୟୁନିଭର୍ସିଟି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତକାଲି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହେବାକୁ ଥିବା 'ସୁଭଦ୍ରା' ଯୋଜନା ଉପଲକ୍ଷେ ରାଜ୍ୟ ସରକାର ଆସନ୍ତା ୧୭ତାରିଖ(ମଙ୍ଗଳବାର) ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରିଛନ୍ତି ।

ଭୁବନେଶ୍ୱରର ସମସ୍ତ ସ୍କୁଲ ଓ କଲେଜଗୁଡ଼ିକୁ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି । ସରକାରୀ ଅଫିସଗୁଡ଼ିକ ମଙ୍ଗଳବାର ପ୍ରଥମାର୍ଦ୍ଧ ଛୁଟି ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଛୁଟି ରହିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ପ୍ରଧାନମନ୍ତ୍ରୀ ମୋଦି ନିଜ ଜନ୍ମଦିନରେ ଅର୍ଥାତ୍ ଆସନ୍ତା ୧୭ତାରିଖରେ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ବିଜେପି ସରକାରଙ୍କ 'ସୁଭଦ୍ରା' ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ୧୦ଲକ୍ଷ ହିତାଧିକାରୀଙ୍କୁ 'ଘର ମଞ୍ଜୁରୀ ପତ୍ର', ୨୬ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଂଟନ ସହ 'ଆବାସ+ ୨୦୨୪'ର ଆପ୍ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାରେ ଦିନ ୧୧ଟା ୩୫ମିନିଟରେ ପହଂଚି ପ୍ରାୟ ସାଢ଼େ ୩ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି । ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଜନତା ମଇଦାନରେ ବିଶାଳ ମହିଳା ସମାବେଶର ଆୟୋଜନ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ।












Click it and Unblock the Notifications