ଯାହା ପ୍ରତିଶ୍ରୁତି ଦେଉ ତାହା ପାଳନ କରୁ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ପଠାଇଛନ୍ତି । ତେବେ ଏହି ଅବସରରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି ମୋହନ ମାଝି ।
ମୋହନ କହିଛନ୍ତି, ଗତ ସରକାରଙ୍କ ମହିଳା ସଶକ୍ତୀକରଣ କେବଳ ସ୍ଲୋଗାନରେ ସୀମିତ ଥିଲା। ପୂର୍ବ ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରୁଥିଲେ। ମହିଳାଙ୍କୁ ଋଣ ଦେବା ନାଁରେ ମହାଜନୀ କାରବାର କରାଉଥିଲେ ନବୀନ ସରକାର। ଆମ ସରକାର ମହିଳାମାନଙ୍କୁ ବିକାଶ ଯାତ୍ରାରେ ସାମିଲ କରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯାଇଛି। ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ, ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ। ସୁଭଦ୍ରା ଯୋଜନା ଓଡ଼ିଶାର ସର୍ବବୃହତ୍ତ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଡବଲ ଇଂଜିନ ସରକାରକୁ ଆପଣ ସଫଳ କରିଛନ୍ତି। ଡବଲ ଇଂଜିନ ସରକାରରେ ଡବଲ ବିକାଶ ହେବ, ଡବଲ ଫାଇଦା ମିଳିବ। ଦ୍ବିତୀୟ ପର୍ଯ୍ୟାୟରେ ଆଜି ୧୭୫୦ କୋଟିର ସୁଭଦ୍ରା ସହାୟତା ଦିଆଗଲା। ୨ ପର୍ଯ୍ୟାୟରେ ମୋଟ ୩ ହଜାର କୋଟି ଟଙ୍କାର ସହାୟତା ଦିଆଗଲାଣି।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଟିଏ ଯୋଜନାରେ ୨ ମାସରେ କୋଟିଏ ମହିଳା କେବେ ଯୋଡ଼ି ହୋଇନଥିଲେ। ୧ କୋଟି ମହିଳା ଗୋଟିଏ ଯୋଜନାରେ ଯୋଡ଼ିହେବା ଏକ ରେକର୍ଡ। ଏଯାବତ ୧ କୋଟି ୬୦ ଲକ୍ଷ ସୁଭଦ୍ରା ଫର୍ମ ବଣ୍ଟନ କରାଯାଇଛି। ସେଥିରୁ ପ୍ରାୟ ୧.୫ କୋଟି ମହିଳାଙ୍କ ଫର୍ମ ରେଜିଷ୍ଟ୍ରେସନ ହୋଇଛି।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି ପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବେ। ଗତ ୧୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା।












Click it and Unblock the Notifications