ଆଜିଠୁ ପ୍ରତି ବ୍ଲକ୍ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ': ୧୭ ରେ ମୋଦି ଦେବେ ସୁଭଦ୍ରା ଟଙ୍କା
ଆଜିଠୁ ଜନସଚେତନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତି ବ୍ଲକ ଓ ପଂଚାୟତରେ 'ସୁଭଦ୍ରା ସ୍ୱାଗତ ସପ୍ତାହ' ପାଳନ ହେବ । ସୁଭଦ୍ରା ଯୋଜନା ପାଇଁ କଲି ସନ୍ଧ୍ୟାସୁଦ୍ଧା ୪୫ଲକ୍ଷ ମହିଳା ପଞ୍ଜିକରଣ କରିଥିବା ଜଣାପଡ଼ିଛି ।
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୭ତାରିଖରେ 'ସୁଭଦ୍ରା' ଯୋଜନାର ଆନୁଷ୍ଠାନିକ ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଅନ୍ୟ ସମସ୍ତ ବିଭାଗକୁ 'ସୁଭଦ୍ରା' ଯୋଜନାର ବ୍ୟାପକ ପ୍ରଚାରପ୍ରସାର ନିମନ୍ତେ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ନିଜ ନିଜ ପାଣ୍ଠିରୁ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପରାମର୍ଶ ଦେଇଛି । ଏପଟେ ସୁଭଦ୍ରା ଯୋଜନା ପାଇଁ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ଆଜିଠୁ ସୁଭଦ୍ରା ସ୍ୱାଗତ ସପ୍ତାହ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକସ୍ତରର ସମସ୍ତ ଅଧିକାରୀଙ୍କ ସମେତ ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ଏସଏଚଜି ସଦସ୍ୟା, ଆଶାକର୍ମୀ ପ୍ରମୁଖ ଗାଁ ଗାଁରେ ସଭା କରି ଲୋକଙ୍କୁ 'ସୁଭଦ୍ରା' ଯୋଜନା ସମ୍ବନ୍ଧରେ ସଚେତନ କରାଇବେ ।

ଅନ୍ୟପକ୍ଷରେ ସଦସ୍ୟତା ଅଭିଯାନ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ, ସୁଭଦ୍ରା ଯୋଜନା, ୧୦୦ଦିନ ବିଜେପି ସରକାରର ଉପଲବ୍ଧି ପ୍ରସଙ୍ଗରେ ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସଂଗଠନ ସମ୍ପାଦକ ମାନସ ମହାନ୍ତି ଓ ଦଳୀୟ ବିଧାୟକମାନେ ଉପସ୍ଥିତ ରହି ସଦସ୍ୟତା ଅଭିଯାନକୁ କିଭଳି ବ୍ୟାପକ କରାଯିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରତି ବିଧାନସଭା କ୍ଷେତ୍ରରୁ ୧ଲକ୍ଷରୁ ଅଧିକ ସଦସ୍ୟଙ୍କୁ ସାମିଲ କରାଯିବା ସହ ଦଳୀୟ ବିଧାୟକମାନେ ନିଜସ୍ତରରେ ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକୁ ଲୋକମାନଙ୍କ ପାଖରେ ପହଂଚାଇବାକୁ ନିଷ୍ପତ୍ତି ହୋଇଛି ।
ନିର୍ବାଚନବେଳେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି ବିଜେପି କିପରି ପୂରଣ କରୁଛି, ସେ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ଓ ଏହା ତୃଣମୂଳସ୍ତରରେ କିପରି ପହଂଚିବ ସେବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଉଭୟ ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ୧୦୦ଦିନର ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବାକୁ ନିଷ୍ପତ୍ତି ହୋଇଛି ବୋଲି ବିଜେପି ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।












Click it and Unblock the Notifications