ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀ; ପାଣି ଘେରରେ ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର ଏକାଧିକ ଗାଁ
ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ନଦୀ। ବିପଦ ସଂକେତ ୧୦.୩୬ ମିଟର, ଏବେ ୧୧.୫୮ ମି ପ୍ରବାହିତ। ପାଣି ଘେରରେ ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକର ଏକାଧିକ ଗାଁ। ଭୋଗରାଇର ୩୦ ଗାଁ, ବାଲିଆପାଳର ୨୫ ଗାଁ, ବସ୍ତାର ୨୫ ପଞ୍ଚାୟତ ଜଳାର୍ଣ୍ଣବ ହୋଇଛି। ଏପଟେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ।
ଗତ ୪ଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବୁଢ଼ାବଳଙ୍ଗ,ବୈତରଣୀ,ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଆଜି ସୁବର୍ଣ୍ଣରେଖା ନଦୀ ରାଜଘାଟଠାରେ ବିପଦସଙ୍କେତ ୧୦.୩୬ମିଟର ଥିବାବେଳେ ଏବେ ଜଳସ୍ତର ୧୦.୭୦ମିଟର ପ୍ରବାହିତ ହେଉଛି । କେନ୍ଦ୍ରୀୟ ଜଳ ଆୟୋଗଙ୍କ ପୂର୍ବାନୁମାନ ଅନୁସାରେ ସୁବର୍ଣ୍ଣରେଖା ନଦୀରେ ୧୦.୯୫ମିଟର ସ୍ତରରେ ଜଳ ପ୍ରବାହିତ ହୋଇପାରେ । ଯାହାକି ସର୍ବୋଚ୍ଚ ଜଳପ୍ରବାହ ସ୍ତର ଅଟେ ଓ ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ବସ୍ତା,ଭୋଗରାଇ ଓ ବାଲିଆପାଳ ଅଂଚଳରେ ବନ୍ୟା ଆଶଙ୍କା ଦେଖାଦେବ । ବୈତରଣୀ ନଦୀରେ ଆଖୁଆପଦାଠାରେ ବିପଦସଙ୍କେତ ୧୮.୩୩ ମିଟର ଥିବାବେଳେ ଏବେ ସେଠାରେ ଜଳସ୍ତର ୧୮ମିଟର ରହିଛି । ସେହିପରି ବୁଢ଼ାବଳଙ୍ଗ ନଦୀର ଜାତୀୟ ରାଜପଥ ନମ୍ବର-୫ର ଗୋବିନ୍ଦପୁରଠାରେ ବିପଦସଙ୍କେତ ୮.୧୩ମିଟର ଥିବାବେଳେ ଏବେ ଜଳସ୍ତର ୭.୫୨ମିଟରରେ ପ୍ରବାହିତ ହେଉଛି । ସେହିପରି ଜଳକା ନଦୀର ମଥାନୀଠାରେ ବିପଦସଙ୍କେତ ୬.୫୦ମିଟର ଥିବାବେଳେ ଜଳସ୍ତର ୬.୭୬ମିଟରରେ ପ୍ରବାହିତ ହେଉଛି ।

ସୁନ୍ଦରଗଡ଼ ଓ କେନ୍ଦୁଝରରେ ସେଭଳି ବନ୍ୟାର ଆଶଙ୍କା ନାହିଁ ବୋଲି ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଆଖୁଆପଦାଠାରେ ଜଳସ୍ତର ହ୍ରାସ ପାଇଥିବାବେଳେ ଜିଲ୍ଲାରେ ବିଶେଷ ବର୍ଷା ହୋଇନାହିଁ । ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ । ତେବେ ପରବର୍ତ୍ତୀ ୨୪ଘଣ୍ଟା ସତର୍କ ରହିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯାଜପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାରେ ବନ୍ୟାର ଆଶଙ୍କା ନଥିବା ସୂଚନା ଦେଇଛନ୍ତି । ଯଦିଓ ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଛି । ମାତ୍ର ବିଂଝାରପୁର ଓ ଦଶରଥପୁର ବ୍ଲକରେ କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ସଜାଗ ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।
ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ ସିଂ ସମସ୍ତ ଜିଲ୍ଲାପାଳମାନଙ୍କୁ ପରିସ୍ଥିତିରେ ଉନ୍ନତି ଘଟିବା ପରେ କ୍ଷୟକ୍ଷତିର ଆକଳନ କରି ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନଙ୍କ ଆବଶ୍ୟକତା ଅନୁସାରେ ଅଗ୍ନିଶମ ବାହିନୀର ଅତିରିକ୍ତ ଟିମକୁ ତୁରନ୍ତ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରୀ ଶ୍ରୀ ପୂଜାରୀ ବିପଦଆଶଙ୍କା ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ସହ ରନ୍ଧାଖାଦ୍ୟା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।












Click it and Unblock the Notifications