କିଟ୍ରେ ପୁଣି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଇନ୍ଫୋସିଟି ପୋଲିସର ତଦନ୍ତ ଆରମ୍ଭ
ପୁଣି ବିବାଦରେ କିଟ୍ ବିଶ୍ବବିଦ୍ୟାଳୟ। କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି। ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତକ ଛତିଶଗଡ଼ର ରାହୁଲ ଯାଦବ, ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ବୋଲି ଜଣା ପଡ଼ିଛି। ଏନେଇ ସ୍ପଷ୍ଟ କଲେ ଏସିପି ସୋନାଲ୍ ସିଂ ପରମାର। ଜୀବନ ହାରିଥିବା ସନ୍ଦେହ କରାଯାଉଛି। ଖବର ପାଇବା ପରେ ଇନ୍ଫୋସିଟି ପୋଲିସ ତଦନ୍ତ ଆରମ୍ଭ କରିଛି।

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିବା ବେଳେ କିଛି ମାସ ପୂର୍ବରୁ ଜୀବନ ହାରିଥିଲେ ଆଉ ଜଣେ କିଟ୍ ଛାତ୍ର। ମୃତ ଛାତ୍ରଙ୍କ ନାମ ଅର୍ଣ୍ଣବ ମୁଖାର୍ଜୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି। ସେ କିଟ୍ ବିଶ୍ବବିଦ୍ୟାଳୟର ତୃତୀୟ ବର୍ଷ ବିଟେକ୍ ଛାତ୍ର ଏବଂ କିଟ୍ ହଷ୍ଟେଲରେ ରହୁଥିଲେ।
ସୂଚନା ଅନୁସାରେ, ଅର୍ଣ୍ଣବ ମୁଖାର୍ଜୀ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ ନିକଟରେ ନିର୍ମାଣାଧୀନ ସାତମହଲା କୋଠାରୁ ଡେଇଁ ଜୀବନ ହାରିଥିଲେ ବୋଲି କୁହାଯାଇଥିଲା। ତେବେ ଏହାର କାରଣ ଅସ୍ପଷ୍ଟ ରହିଛି। ସାତମହଲା କୋଠାରୁ ଡେଇଁବା ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅର୍ଣ୍ଣବ ଆଖି ବୁଜିଥିଲେ।
ଗତ ଫେବ୍ରୁଆରି ୧୬ ତାରିଖ ରାତିରେ ନେପାଳର ମୂଳବାସିନ୍ଦା ତଥା ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା(୧୯)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପ୍ରେମରେ ଧୋକା ଖାଇବା ପରେ ପ୍ରକୃତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ରେ ରହୁଥିବା ଶତାଧିକ ନେପାଳୀ ଛାତ୍ରଛାତ୍ରୀ ଉତ୍ତେଜିତ ହୋଇ ପଡ଼ିଥିଲେ ଏବଂ ଧୋକାବାଜ ଛାତ୍ରକୁ ତୁରନ୍ତ ଗିରଫ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ।
ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ କମିସନରେଟ୍ ପୁଲିସର ବୁଝାସୁଝା ପରେ ବି ଉତ୍ତେଜିତ ଛାତ୍ରଛାତ୍ରୀ ରାତିତମାମ ହୋ-ହଲ୍ଲା କରିଥିଲେ। ସ୍ଥିତି ଅଣାୟତ୍ତ ହେବାରୁ ସକାଳୁ କିଟ୍ରେ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା। ଏହା ଭିତରେ ପୁଲିସ ଅଭିଯୁକ୍ତ ଛାତ୍ର ଉତ୍ତରପ୍ରଦେଶ ଲକ୍ଷ୍ନୌର ଆଦଭିକ୍ ଶ୍ରୀବାସ୍ତବ(୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଭୁବନେଶ୍ବର ବିମାନବନ୍ଦରରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ ନେଇ ଜାତୀୟ ମାନବିକ ଅଧିକାର କମିସନ୍ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ବର୍ତ୍ତମାନ ଆଉ ଜଣେ କିଟ୍ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେବା ପରେ ପୁଣି କୀଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।












Click it and Unblock the Notifications