କରୋନାରେ କିନ୍ନରଙ୍କ ମହାନତା : ଦିନେ ସମାଜ ଆଙ୍ଗୁଠି ଦେଖାଉଥିଲା, ଆଜି ଚିତା ବି କହୁଛି ଚିନ୍ମୟୀଙ୍କ ଗାଥା !
ଭୂତାଣୁ ଭୟ ମଧ୍ୟରେ ବି ଶବର ଶେଷ ସାଥୀ ହେବାକୁ ସର୍ବଦା ସହଯୋଗର ହାତ ବଢ଼ାଇଥାନ୍ତି ।
ଅନୁଗୁଳ: ରକ୍ତର ସମ୍ପର୍କକୁ ପର କରି ଦେଉଛି କରୋନା ଭୂତାଣୁ । ଭୂତାଣୁ ଭୟରେ ନିଜ ପ୍ରିୟ ପରଜନଙ୍କ ଶେଷୃକୃତ୍ୟରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଲୋକେ । ଏମିତି ଉଦାହରଣ ଆମେ ବହୁତ ଦେଖିଛୁ । ମାତ୍ର ଏ ସବୁର ବିପରୀତ ଭଳି ଆଜି ଆମେ ଏମିତି ଜଣେ ମଣିଷକୁ ଭେଟିବା ଯେ ଭୂତାଣୁ ଭୟ ମଧ୍ୟରେ ବି ଶବର ଶେଷ ସାଥୀ ହେବାକୁ ସର୍ବଦା ସହଯୋଗର ହାତ ବଢ଼ାଇଥାନ୍ତି ।

କିନ୍ନର ଚିନ୍ମୟୀ, ପୂରା ନାମ ଚିନ୍ମୟୀ ଦାସ। ଅନୁଗୁଳ ଜିଲ୍ଲାର ଜରପଡ଼ା ଅଞ୍ଚଳରେ ଏକ ଲେଡିଜ୍ କର୍ଣ୍ଣର କରିଥିବା ଚିନ୍ମୟୀ କିନ୍ତୁ ଏଭଳି ବଦାନ୍ୟତା ପାଇଁ କାହାଠାରୁ ସାହାଯ୍ୟ ନିଅନ୍ତି ନାହିଁ; ବରଂ ଆତ୍ମସନ୍ତୋଷ ପାଇଁ ଏସବୁ ପ୍ରବୃତ୍ତିକୁ ଆପଣେଇଥିବା କହନ୍ତି। ନିଜର ନିଚ୍ଛକ ସେବା ମନୋଭାବ ଯୋଗୁଁ ଚିନ୍ମୟ ଇତି ମଧ୍ୟରେ ୨୦ରୁ ଅଧିକ ଶବର ସତ୍କାର କରି ସାରିଛନ୍ତି।
କେବଳ ଶବଦାହ ନୁହେଁ; ଜିଲ୍ଲାକୁ ଆସୁଥିବା କରୋନା ପଜିଟିଭ୍ ରୋଗୀଙ୍କୁ କିପରି ସବୁ ପ୍ରକାର ସୁବିଧା ସହଜରେ ମିଳିପାରିବ ସେଥପାଇଁ ସେ ଡାକ୍ତରୀ ବ୍ୟବସ୍ଥା ମଧ୍ୟ କରାଇ ଦେଉଛନ୍ତି । ରୋଗୀଙ୍କ ପାଇଁ ଅମ୍ଳଜାନ ସଂଗ୍ରହ କରିବା କଥା ହେଉ, କି କରୋନା ରୋଗୀ ପାଇଁ ଆମ୍ବୁଲାନ୍ସ ବନ୍ଦୋବସ୍ତ କରିବା ଅବା ଧାଡ଼ିରେ ଛିଡ଼ା ହୋଇ କରୋନା ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା କଥା । ସବୁଥ୍ରେ ସବୁ କଥାରେ ଖୋଜା ପଡ଼ନ୍ତି ଚିନ୍ମୟୀ।
ଏସବୁକୁ ଛାଡ଼ିଦେଲେ ବସ୍ଷ୍ଟାଣ୍ଡ ଷ୍ଟେସନ୍, ଜଳଗହଳିପୂର୍ଣ୍ଣ ସ୍ଥାନକୁ ଯାଇ ସେ କରୋନା ସଚେତନତାର ପାଠ ପଢ଼ାଉଛନ୍ତି। ଗାଁ ଲୋକ କିପରି କରୋନା ଭଳ ଜଟଳ ଶବ୍ଦ ସହ ଅବଗତ ହୋଇପାରିବେ, ଏହାର ପ୍ରତିଷେଧକ ପାଇଁ ବିଭିନ୍ନ ପନ୍ଥା ଗ୍ରହଣ କରିବେ, ସେଥପାଇଁ ସେ ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ ବି କରୁଛନ୍ତି। ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ଭଳି ପ୍ରତିଦିନ ଘରକୁ ଘର ବୁଲି ସେ ଲୋକଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଆବଶ୍ୟକ ସ୍ଥଳରେ ଔଷଧ ଯୋଗାଇବା ଓ ଲୋକଙ୍କୁ ମନସିକ ସ୍ତରରେ ସହାନୁଭୂତି ଯୋଗାଇବା କାମ ବି କରୁଛନ୍ତି।
ଚିନ୍ମୟୀଙ୍କ ପ୍ରକୃତ ନାମ ଥିଲା ଗଗନ ବିହାରୀ ଦାସ । ୧୯୮୪ ମସିହାରେ ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋଷଇ ଗାଁରେ ଜନ୍ମ ହୋଇଥିଲେ ଗଗନ । ଦଶମ ଶ୍ରେଣୀ ଯାଏଁ ପାଠ ପଢ଼ିଥିବା ଗଗନ ପିଲାବେଳୁ କିନ୍ନର ଥିବାରୁ ଗାଁରେ ଓ ସାହିପଡ଼ିଶାରେ ଟାହି ଟାପରା ସହିଛନ୍ତି। ଚାରି ଭାଇଭଉଣୀ ଓ ବାପା, ମା'ଙ୍କୁ ନେଇ ଗଗନଙ୍କ ପରିବାର। ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ହୋଇ ଗଗନ ମାମୁଁ ଘର ଇରିକୁଣ୍ଡଳକୁ ଯାଇ ପିଲାବେଳ କାଟିଥିଲେ।
ଚିନ୍ମୟୀ କହନ୍ତି, ଏବେ କରୋନା ସମୟ ତେଣୁ ବିପଦରେ ଥିବା ଲୋକଙ୍କୁ ସହଯୋଗର ହାତ ବଢ଼ାଇବା ହିଁ ପ୍ରକୃତ ସେବାର ମୂଲ୍ୟ । ମୁଁ ନିଜେ ଶୃଙ୍ଖଳିତ ଭାବେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଛି। ଏବେ ସେବାର ପ୍ରକୃତ ମୂଲ୍ୟ ଦେବାର ସମୟ ଆସିଛି।












Click it and Unblock the Notifications