ବାତ୍ୟା ଆତଙ୍କ ! ପୁରୀ ସମୁନ୍ଦ୍ର କୂଳରେ ଲାଗିଲା ନାଲି ପତାକା, ସତର୍କ ସୂଚନା ଜାରି
ବାତ୍ୟା 'ଦାନା'କୁ ନେଇ ଆଶା ଆଶଙ୍କାରେ ଏବେ ଉପକୂଳ ବାସିନ୍ଦା। ବାତ୍ୟାର ପ୍ରଭାବ କେତେ ରହିବ ସେ ନେଇ ଉପକୂଳ ବାସିନ୍ଦାଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଛନକା ଦେଖାଦେଇଛି। ତେବେ ପୁରୀ ଜିଲ୍ଲାରେ ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ନାନା ଆଶା ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏହାକୁ ମୁକାବିଲା କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି।

ଏସଆରସିଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାର ତହସିଲଦାର, ବିଡ଼ିଓ ଓ ଥାନା ଅଧିକାରିଙ୍କୁ ଆଲର୍ଟରେ ରଖାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀଗୁଡିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସ୍ଥଳେ ଲୋକଙ୍କୁ ଅଣାଯାଇ ରଖାଯିବା ପାଇଁ ସବୁ ବ୍ୟବସ୍ଥା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାକୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବା ନେଇ କଟକଣା ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।
ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି କଳାବଜାରୀ ନ ହୁଏ ସେ ନେଇ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ତେବେ ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ କୌଣସି ଅଘଟଣ ଯେଭଳି ନ ହୁଏ ଏବଂ ପର୍ଯ୍ୟଟକମାନେ ସମୁଦ୍ରରେ ଯେଭଳି ନ ଗାଧୋଇବେ ସେନେଇ ମଧ୍ୟ ସଚେତନ କରାଯାଉଛି। ପୁରୀ ସମୁଦ୍ର କୂଳରେ ନାଲି ପତକା ଲଗାଯାଇ ଲୋକଙ୍କୁ ସତର୍କ ସୂଚନା ଦିଆଯାଇଛି।












Click it and Unblock the Notifications