ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ବାସ୍ତବିକ ଆମ ରାଜ୍ୟର ଜୀବନରେଖା: ଜଙ୍ଗଲ ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ବାସ୍ତବିକ ଆମ ରାଜ୍ୟର ଜୀବନରେଖା । କାର୍ଯ୍ୟଦକ୍ଷତା ଓ ବୃଭିଗତ ଉତ୍କର୍ଷ ପ୍ରଦର୍ଶନ କରି ବୋର୍ଡର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ଦେଶର ସର୍ବଶ୍ରେଷ୍ଠ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ପରିଣତ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆହ୍ୱାନ ଦେଇଛନ୍ତି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୧ତମ ପ୍ରତିଷ୍ଠା ଦିବସ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଯେ, ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଏବଂ ପରିବେଶ (ସୁରକ୍ଷା) ଆଇନ ଅଧୀନରେ ପର୍ଯ୍ୟାୟକ୍ରମେ ଜାରି କରାଯାଇଥିବା ବିଭିନ୍ନ ବିଜ୍ଞପ୍ତିଗୁଡ଼ିକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାର ଗୁରୁ ଦାୟିତ୍ୱ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଉପରେ ନ୍ୟସ୍ତ ।
ରାଜ୍ୟର ପରିବେଶ ଯୋଜନା ଏବଂ ପରିଚାଳନାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଅବଦାନ ଉଲ୍ଲେଖଯୋଗ୍ୟ । ରାଜ୍ୟର ଶିଳ୍ପାୟନର ଧାରାରେ ପ୍ରଦୂଷଣ ସମସ୍ୟାକୁ ଯଥାସମ୍ଭବ ରୋକିବା ଓ ରାଜ୍ୟର ଶିଳ୍ପଭିତ୍ତିକ ବିକାଶକୁ ଏକ ଶୃଙ୍ଖଳିତ ପଥରେ ପରିଚାଳିତ କରିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପାଇଁ ଆଜି ଏକ ଆହ୍ୱାନ । ଥରେ ମାତ୍ର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ର ବ୍ୟବହାର ଉପରେ କଟକଣା ୧ ଜୁଲାଇ ୨୦୨୨ରୁ ଜାରି ହେବା ସତ୍ତ୍ୱେ ଏହାର ବ୍ୟବହାର ଆଶାନୁରୂପ ଭାବେ କମିନାହିଁ ।
ଏହାର ବ୍ୟବହାର ସଂପୂର୍ଣ୍ଣ ବନ୍ଦ ହେବା ସହ ବିକଳ୍ପ ଦ୍ରବ୍ୟ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା ଏକ ଆହ୍ୱାନ । ରାଜ୍ୟରେ ଖଣିଜ ପଦାର୍ଥଭିଭିକ ଶିଳ୍ପ ବହୁତ ଥିବାରୁ ଏଥିରୁ ବହୁ ମାତ୍ରାରେ ବର୍ଜ୍ୟବସ୍ତୁ ବାହାରୁଛି । ଏଗୁଡ଼ିକର ସମୁଚିତ ଓ ପରିବେଶ ଅନୁକୂଳ ପରିଚାଳନା ବୋର୍ଡ଼ ପାଇଁ ଏକ ଆହ୍ୱାନ । ଦ୍ରୁତ ଓ କ୍ରମବଦ୍ଧିଷ୍ଣୁ ଶିଳ୍ପାୟନ ଦ୍ୱାରା ବ୍ୟାପକ ବାୟୁ ଓ ଜଳ ପ୍ରଦୂଷଣର ସମ୍ଭାବନା ସୃଷ୍ଟି ହୋଇଛି ।
ଏହିଭଳି ଶିଳ୍ପାଞ୍ଚଳରେ ପାରିପାର୍ଶ୍ଵକ ବାୟୁର ଗୁଣବତ୍ତା ବଜାୟ ରଖୁବା ଓ ଜଳସମ୍ପଦର ଗୁଣାତ୍ମକ ଓ ପରିମାଣାତ୍ମକ ସଂରକ୍ଷଣ କରିବା ବୋର୍ଡ଼ ପାଇଁ ଅନ୍ୟ ଏକ ଆହ୍ୱାନ । ପରିବେଶ ପ୍ରଦୂଷଣକୁ ସାଲିସ କରି କୌଣସି ବିକାଶ କାର୍ଯ୍ୟ ଦୀର୍ଘସ୍ଥାୟୀ ହୋଇପାରିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମତବ୍ୟକ୍ତ କରିଥିଲେ ।

ଆଗାମୀ ଦିନରେ ଶିଳ୍ପ ଏବଂ ଉଦ୍ୟୋଗର ବିକାଶ ହେବ ତଥା ସହରୀକରଣ ବଢ଼ିବ । ଏଥି ଯୋଗୁଁ ସମ୍ଭାବ୍ୟ ପ୍ରଦୂଷଣ ବୃଦ୍ଧି ପରିପ୍ରେକ୍ଷୀରେ କିପରି ଏହାକୁ ନିୟନ୍ତ୍ରଣ କରି ସନ୍ତୁଳିତ ବିକାଶ ସମ୍ଭବ ହୋଇପାରିବ, ଏଥିରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଭୂମିକା, ରୂପରେଖ, ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତଦାରଖ ବ୍ୟବସ୍ଥା କିପରି ବୃଦ୍ଧି କରିବାକୁ ହେବ, ଏବେଠାରୁ ଚିନ୍ତା କରିବାର ଆବଶ୍ୟକତା ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କାର୍ଯ୍ୟ ଯେପରି ବିଶ୍ୱସ୍ତରୀୟ ହେବ ଏବଂ ଏକ ପ୍ରଦୁଷଣମୁକ୍ତ ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ମଧ୍ୟରେ ମନୁଷ୍ୟ ଯେପରି ସ୍ଵଚ୍ଛନ୍ଦରେ ଜୀବନଯାପନ କରିପାରିବ, ସେ ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବ ତଥା ଅଧ୍ଯକ୍ଷ ଶ୍ରୀ ଆହୁଜା ଆଲୋକପାତ କରିଥିଲେ ।
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ସତ୍ୟବ୍ରତ ସାହୁ ଶିଳ୍ପସଂସ୍ଥାଗୁଡିକ ପରିବେଶର ସନ୍ତୁଳନ ରକ୍ଷା ଓ ପ୍ରଦୂଷଣ ହ୍ରାସ ଉପରେ ଗୁରୁତ୍ଵ ଦେବାକୁ ଆହ୍ୱାନ ଦେଇଥିଲେ । ବୋର୍ଡର ସଦସ୍ୟ ସଚିବ ଡ. କେ. ମୁରୁଗେସନ୍ ୨୦୨୩-୨୪ ପାଇଁ ବୋର୍ଡର ବାର୍ଷିକ କାର୍ଯ୍ୟକାରିଣୀ ବିବରଣୀ ପ୍ରଦାନ କରିଥିଲେ । ତିନୋଟି ବିଜ୍ଞାନ ପତ୍ରିକା ଯଥା ଭୁବନେଶ୍ଵରର ଏକ ପ୍ରାକୃତିକ ସହରୀ ନାଳ ଗଙ୍ଗୁଆ ଉପରେ ଅଧ୍ୟୟନ, ସ୍ଥାୟୀ ଶିଳ୍ପ ବିକାଶ ପାଇଁ ବ୍ରାହ୍ମଣୀ -ବୈତରଣୀ ନଦୀ ଅବବାହିକାର ଦକ୍ଷତା ମୂଲ୍ୟାଙ୍କନ ଏବଂ ଭୂତ ଜାଲ: ସମୁଦ୍ରରେ ଏକ ନିରବ ଅପରାଧୀ, ଉନ୍ମୋଚିତ ହୋଇଥିଲା ।
ଏହି ଅବସରରେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରିଥବା ଶିଳ୍ପାନୁଷ୍ଠାନ, ଖଣି, ସ୍ୱାସ୍ଥ୍ୟସେବା କେନ୍ଦ୍ର ଏବଂ ଶିଳ୍ପାନୁଷ୍ଠାନ ଜନବସତିକୁ ପରିବେଶ ଉତ୍କର୍ଷ ଓ ପରିବେଶ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶିଳ୍ପାନୁଷ୍ଠାନ ବର୍ଗରେ ଇଣ୍ଡିଆନ୍ ମେଟାଲ୍ ଏଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍, ଥେରୁବାଲି, ରାୟଗଡ଼ାକୁ ପରିବେଶ ଉତ୍କର୍ଷ ଏବଂ ଅନୁଗୋଳ ଏନର୍ଜି ଲିମିଟେଡ୍, ଅନୁଗୋଳକୁ ପରିବେଶ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା ।
ସେହିପରି ଖଣି ବର୍ଗରେ ମେର୍ସସ ପେଙ୍ଗୁଇନ୍ ଟ୍ରେଡିଂ ଆଣ୍ଡ ଏଜେନ୍ସି ଲିମିଟେଡ୍ର ରାଇକେଲା ଓ ତନ୍ତ୍ରା ଲୌହ ଖଣି, ଡେଙ୍ଗୁଲା, ସୁନ୍ଦରଗଡ଼କୁ ପରିବେଶ ଉତ୍କର୍ଷ ଏବଂ ମେର୍ସସ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ର ଲାଞ୍ଜିବେରଣା ଲାଇମ୍ ଷ୍ଟୋନ୍ ଏଣ୍ଡ୍ଡୋ ଲୋମାଇଟ୍ ମାଇନ୍ସକୁ ପରିବେଶ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ସେବା ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ଝୁମ୍ପୁରା, କେନ୍ଦୁଝରକୁ ପରିବେଶ ଉତ୍କର୍ଷ ପୁରସ୍କାର ଓ ଯୁଗ୍ମ ଭାବେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, କେ. ନୂଆଗାଁ, କନ୍ଧମାଳ ଏବଂ ସମଲେଶ୍ୱରୀ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍, ବଲାଙ୍ଗିରକୁ ପରିବେଶ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ଶିଳ୍ପାନୁଷ୍ଠାନ ଜନବସତି ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଦିତ୍ୟ ଆଲୁମିନିୟମ୍, ସମ୍ବଲପୁରକୁ ପ୍ରଫେସର ଡ. ଏମ୍.କେ. ରାଉତ ପରିବେଶ ଉତ୍କର୍ଷ ପୁରସ୍କାର ପତ୍ର ପ୍ରଦାନ କରାଯାଇଥିଲା ।
ଆଇଆଇଟି, କାନପୁରର ସିଭିଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡ. ମୁକେଶ ଶର୍ମା ସମ୍ମାନିତ ଅତିଥି ଭାବେ ଉଦ୍ବୋଧନ ଦେଇଥିଲେ । ବୋର୍ଡର ମୁଖ୍ୟ ପରିବେଶ ଯନ୍ତ୍ରୀ ଶ୍ରୀ ରବି ନାରାୟଣ ପୃଷ୍ଟି ଧନ୍ୟବାଦ ଦେଇଥିଲେ ।












Click it and Unblock the Notifications