ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଜୟନ୍ତୀ ପାଳିତ
ଆଜି ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।
ଭୁବନେଶ୍ୱର: ଆଜି ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।

ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ଭାଷା-ସାହିତ୍ୟର ପୃଷ୍ଠପୋଷକ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର । ସମ୍ବାଦପତ୍ର ସଂପଦନା, ଭାଷା ଆନ୍ଦୋଳନ, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଯୋଗଦାନ ଅତୁଳନୀୟ । ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଶ୍ରୀବୃଦ୍ଧିରେ ତାଙ୍କର ନିରନ୍ତର ପ୍ରୟାସ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ସଭା ପ୍ରାରମ୍ଭରେ ଅତିଥିମାନେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା, ବିଶିଷ୍ଟ ସାହିତ୍ୟିକ ନୀଳମଣି ବିଦ୍ୟାରତ୍ନ ଓଡ଼ିଆ ଭାଷାର ପ୍ରସାର ସହ ସମ୍ବାଦପତ୍ର ସମ୍ପାଦନା, ଭାଷା ଆନ୍ଦୋଳନ ଏବଂ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ ।
ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଓଡ଼ିଆ ଅସ୍ମିତାର ପ୍ରତୀକ ଏବଂ ଓଡ଼ିଆ ସ୍ୱାଭିମାନର ପୁନଃପ୍ରତିଷ୍ଠା ଦିଗରେ ସ୍ୱୀୟ ଲେଖନୀ ମାଧ୍ୟମରେ ଉତ୍କଳର ଅଖଣ୍ଡତା, ଭାଷା ଓ ସାଂସ୍କୃତିକ ଗୌରବ ପ୍ରତିଷ୍ଠାର ଜଣେ ସୁଦକ୍ଷ ସାରଥି ଭାବେ କାର୍ଯ୍ୟ କରିଥିଲେ । ଏ ଜାତି ବିଦ୍ୟାରନିଙ୍କୁ କାଳ କାଳ ଧରି ସ୍ମରଣ କରୁଥିବ ।
ସେହିପରି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡକଫର ଲେନିନ୍ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ, ଓଡ଼ିଆ ଭାଷାର ସୁର କ୍ଷା ଓ ଆଦୃତି ତଥା ସାମ୍ବାଦିକତା କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସଂସ୍କୃତିବିତ୍ ଶ୍ରୀ ନିଳାଦ୍ରି ମୋହନ ଶତପଥୀ କହିଥିଲେ ଯେ, ଓଡ଼ିଆ ଜାତିର ସ୍ୱାଭିମାନର ପୁନଃପ୍ରତିଷ୍ଠା ନିମନ୍ତେ ଆତ୍ମବିଶ୍ୱାସର ସହ ଯେଉଁ କେତେଜଣ ମହାମନୀଷୀ ଚେଷ୍ଟିତ ଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ନାମ ଅଗ୍ରପୂଜ୍ୟ । ଜଣେ ଆଦର୍ଶ ଶିକ୍ଷକ ତଥା ସଂପାଦକ ଭାବେ ତାଙ୍କୁ ଚିତ୍ରଣ କରିବା ସହ ବିଦ୍ୟାରତ୍ନଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିରପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସମ୍ବାଦପତ୍ର ସଂପାଦନା, ଭାଷା ଆନ୍ଦୋଳନ ସହ ଆଜୀବନ ଜଡ଼ିତ ରହିବା ସହ ସଂସ୍କୃତି ତଥା ସାହିତ୍ୟର ଉନ୍ନତି ପାଇଁ ସଦାସମର୍ପିତ ଥିଲେ । ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଂପାଦକ ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନା ଅଧିକାରୀ ପ୍ରମିଳା ମାଝୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟପ୍ରେମୀଙ୍କ ସହ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସକାଳେ ଜୟଦେବ ବିହାରଠାରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ।












Click it and Unblock the Notifications