ଜୟଦେବ ଭବନରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅନୁଷ୍ଠିତ

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଏବଂ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ଅବସରରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଲେ ଯେ ଆଜି ଦିନଟିକୁ ଓଡ଼ିଶାବାସୀ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରୁଛନ୍ତି । ବିଜୁବାବୁ ଜଣେ ଦକ୍ଷ ପାଇଲଟ୍‌, ବଡ଼ ଶିଳ୍ପପତି ତଥା ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ସୁନାମ ଅର୍ଜନ କରିଥିଲେ ।

ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ଏ ମାଟି ଓ ମାଟିର ମଣିଷ ସହ ତାଙ୍କର ସଂପର୍କ ଥିଲା ନିବିଡ଼ । ତାଙ୍କ ସ୍ୱପ୍ନ ଥିଲା ଗାଁ ଓ ଗାଁର ଲୋକମାନେ ସଶକ୍ତ ହୁଅନ୍ତୁ । ଗାଁରେ ଭଲ ସ୍କୁଲ ହେଉ, ଡାକ୍ତରଖାନା ହେଉ । ସମସ୍ତଙ୍କ ପାଇଁ ଘର ଓ ପିଇବା ପାଣି ଏବଂ ଗାଁରେ ସହରର ସବୁ ସୁବିଧା ମିଳୁ ବୋଲି ବିଜୁବାବୁ ଚାହୁଁଥିଲେ ।

Biju Patnaik jayanti

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲେ । ଖୁସିର କଥା ଆଜି ଗାଁରେ ରୂପାନ୍ତର ଆସିଛି । ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଗାଁର ସରକାରୀ ବିଦ୍ୟାଳୟରେ ଘରୋଇ ବିଦ୍ୟାଳୟଠାରୁ ଅଧିକ ସୁବିଧା ମିଳୁଛି । ପିଲାଙ୍କ ପାଇଁ କ୍ରୀଡ଼ାର ସୁବିଧା ମିଳୁଛି । ଗାଁ ସ୍କୁଲର ପିଲା ଆଜି ଡାକ୍ତର, ଇଂଜିନିୟର, ଆଇଏଏସ୍‌ ଅଫିସର ହେବାର ସ୍ୱପ୍ନ ଦେଖିପାରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗାଁ ଲୋକଙ୍କର ଚିକିତ୍ସା ଚିନ୍ତା ଦୂର କରିଛି । ବ୍ୟାଙ୍କ ନଥିବା ଗାଁରେ ଆଜି ବ୍ୟାଙ୍କ ସୁବିଧା ମିଳୁଛି । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଗାଁର ଡିଜିଟାଲ୍‌ ଭିତ୍ତିଭୂମିକୁ ମଜବୁତ କରୁଛି । ଜଗନ୍ନାଥ ସଂସ୍କୃତିର ପ୍ରସାର କରୁଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ବସ ଯୋଜନା ଗାଁର ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି । ମିଶନ ଶକ୍ତି ମା'ମାନେ ଗାଁର ସାମାଜିକ-ଅର୍ଥନୈତିକ ଉନ୍ନତିରେ ଆଗୁଆ ଭୂମିକା ନେଇଛନ୍ତି । ଖୁସୀର କଥା ମା'ମାନେ ଆଜି ଆଗକୁ ଆସିଛନ୍ତି ଓ ବିକାଶର ଦାୟିତ୍ୱ ନେଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ମା'ମାନେ ୫୦ ପ୍ରତିଶତରୁ ଅଧିକ ସଂଖ୍ୟାରେ ବିଜୟ ଲାଭ କରି ଇତିହାସ ସୃଷ୍ଟି କରିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆମର ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିବା ଖୁସୀର କଥା । ଗାଁର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ଲୋକଙ୍କ ସୁଖଦୁଃଖର ସାଥି ହେବା ସହ ଭଲ କାମ କରି ଲୋକଙ୍କ ବିଶ୍ୱାସଭାଜନ ହେବାକୁ ସେ ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ ।

ବିଜୁ ବାବୁ ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କ ଆଦର୍ଶ, ତାଙ୍କ ସ୍ୱପ୍ନର ଓଡ଼ିଶା ନୂଆ ଓଡ଼ିଶା ପାଇଁ ଆମକୁ ପ୍ରେରଣାଦେଇ ଚାଲିଛି ଓ ଚାଲିଥିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିବା ସହ ପୁରସ୍କୃତ ହେଉଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଲେ ଯେ ବିଜୁ ବାବୁ ମହାତ୍ମା ଗାନ୍ଧୀ ଏବଂ ନେତାଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜାତୀୟ ସଂଗ୍ରାମରେ ଭାଗ ନେଇଥିଲେ । ଓଡ଼ିଶା ପାଇଁ ସେ ଯେଉଁ ବିକାଶର ନକ୍ସା ଆଙ୍କିଥିଲେ, ତାକୁ ତାଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ସମୟର ନୂଆ ଆହ୍ୱାନ ଓ ଆବଶ୍ୟକତା ଭିତ୍ତିରେ ଅନୁସରଣ କରୁଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗ୍ରାମୀଣ ଜନସାଧାରଣଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ପ୍ରଭାବୀ କରିବା ପାଇଁ ଅନେକ ଯୋଜନା ଓ ନୀତି ପ୍ରଣୟନ କରିଛନ୍ତି । ଏସବୁର ସଫଳ ରୂପାୟନ ଦିଗରେ ପଞ୍ଚାୟତିରାଜ ପ୍ରତିନିଧିମାନେ ଅଧିକ ଯନିବାନ ହେଲେ ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ସାକର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ଆମର ସାମାଜିକ-ରାଜନୈତିକ ଇତିହାସରେ ବିଜୁବାବୁଙ୍କ ଜୀବନ ଓ କୃତିତ୍ୱ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସଂଯୋଗ । ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବ । ତେଣୁ ଆଗାମୀ ୧୨ ବର୍ଷ ଆମ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାକୁ ଭାରତର ସର୍ବଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବାକୁ ହେଲେ ରାଜ୍ୟର ଯୁବବର୍ଗଙ୍କୁ ବିକାଶ ପର୍ବର ସାରଥି ସାଜିବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ ।

ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରେରଣାର ସ୍ରୋତସ୍ୱିନୀ ଭାବେ ବିଜୁବାବୁ ଚିରଦିନ ଓଡ଼ିଆବାସୀଙ୍କ ପଥପ୍ରଦର୍ଶକ ହୋଇ ରହିବେ ବୋଲି ମତବ୍ୟକ୍ତ କରିଛନ୍ତି ।
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ସ୍ୱାଗତ ଭାଷଣ ଦେଇଥିବାବେଳେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ସୁଦୃଢ଼ ଓଡ଼ିଶା ନିର୍ମାଣ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପଞ୍ଚାୟତ ପ୍ରକଳ୍ପ ପରିଚାଳନା ବ୍ୟବସ୍ଥାର ସୁବନ୍ଦୋବସ୍ତ ପାଇଁ ଏକ ସଫଫେୱୟାର ଲୋକାର୍ପିତ ହୋଇଛି । ପ୍ରଥମ ଥର ପାଇଁ ଭୁବନେଶ୍ୱର ବ୍ଲକ୍‌ରେ ପରୀକ୍ଷାମୂଳକ ଭାବେ ଏହାର ବ୍ୟବହାର କରାଯିବ ଏବଂ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ବ୍ଲକ୍‌ରେ କାର୍ଯ୍ୟକାରୀ କରାଯିବ । ଇ-ପଞ୍ଚାୟତ ସଭା ମୋବାଇଲ୍‌ ଆପ୍‌ ଲୋକାର୍ପଣ କରାଯାଇଛି । ଏହା ଦ୍ୱାରା ସମସ୍ତ ଗ୍ରାମପଞ୍ଚାୟତରେ ମାସିକ ପଞ୍ଚାୟତ ସଭା ଓ ସେ ସଂପର୍କିତ ବିବରଣୀ ହିତାଧିକାରୀମାନଙ୍କ ପାଇଁ ଉପଲବ୍ଧ ହେବ ।
ଏଥି ସହ ଅତିଥିମାନଙ୍କ ଦ୍ୱାରା ତାଲିମ ପରିଚାଳନା ପୋର୍ଟାଲ ଲୋକାର୍ପଣ ହୋଇଛି । ଏହି ପୋର୍ଟାଲ ଦ୍ୱାରା ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ପାଇଁ ସମସ୍ତ ତଥ୍ୟ ଅତି ସଂକ୍ଷେପରେ ଉପଲବ୍ଧ ହେବ । ବାଲସଭା ଓ ମହିଳାସଭା ସମ୍ପର୍କିତ ମାର୍ଗଦର୍ଶିକା ଉନ୍ମୋଚିତ ହୋଇଥିଲା । ୧୨ ଗୋଟି ପଞ୍ଚାୟତକୁ ଔଗକ୍ସ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମାଲକାନଗିରି, ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପରିଷଦକୁ ସାମଗି୍ରକ ପ୍ରଦର୍ଶନ ପାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ସମ୍ମାନିତ କରାଯାଇଥିଲା ।

ମାଲକାନଗିରି ଜିଲ୍ଲାର ପଡ଼ିଆ, ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ପଞ୍ଚାୟତ ସମିତିକୁ ସାମଗ୍ରିକ ପ୍ରଦର୍ଶନ ପାଇଁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବେ ସମ୍ମାନିତ କରାଯାଇଥିଲା । ସାମଗି୍ରକ ପ୍ରଦର୍ଶନ ପାଇଁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ମାଥିଲି ପଞ୍ଚାୟତକୁ ପ୍ରଥମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ର ମହୁପଦର ପଞ୍ଚାୟତକୁ ଦ୍ୱିତୀୟ ଓ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍‌ର ମାଣିତ୍ରୀ ପଞ୍ଚାୟତକୁ ତୃତୀୟ ଭାବେ ସମ୍ମାନିତ କରାଯାଇଥିଲା ।

ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନ ପରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ୩ ଜଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଓ ସାଥି 'ମୋକ୍ଷ ରିଦିମ୍‌ ଏଣ୍ଡ ର୍ୟାମ୍ପ' ନୃତ୍ୟଦଳ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଏବଂ ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ (ପାନୀୟ ଜଳ ଓ ପରିମଳ) ଶ୍ରୀ ଅରିନ୍ଦମ ଡାକୁଆ, ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଶ୍ରୀ ଜ୍ୟୋତିପ୍ରକାଶ ଦାସ, ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ପଞ୍ଚାୟତିରାଜ ପ୍ରତିନିଧି, ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+