ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ, ଆଦର୍ଶଙ୍କୁ ନିରାପଦ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କଲେ ରାଜ୍ୟ ସରକାର
ଯୁଦ୍ଧଗ୍ରସ୍ତ ସୁଦାନରେ ବିଦ୍ରୋହୀଙ୍କ ଦ୍ୱାରା ଅପହୃତ ହୋଇଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ଼ିଶା ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କୁ ଅନୁରୋଧ କରିଛନ୍ତି।ଏ ସଂପର୍କିତ ଖବର ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦର୍ଶଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ପରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ (MEA)କୁ ଏକ ପତ୍ର ଲେଖି ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ସେହିପରି ଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ଏମଇଏକୁ ପତ୍ର ଲେଖି ସୁଦାନରେ ଥିବା ଭାରତୀୟ ଦୂତାବାସକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ସୁଦାନରେ ଥିବା ଭାରତର ରାଷ୍ଟ୍ରଦୂତ କହିଛନ୍ତି ଯେ ଆଦର୍ଶଙ୍କୁ ମକୁଳାଇବାକୁ ସୁଦାନ ସରକାରଙ୍କ ସହ ସେ ଆଲୋଚନା କରିଛନ୍ତି ।

ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଟକଣା ଗ୍ରାମର ବାସିନ୍ଦା ଆଦର୍ଶ ବେହେରା ୨୦୨୨ ମସିହାରୁ ସୁଦାନରେ ଏକ ପ୍ଲାଷ୍ଟିକ୍ କାରଖାନାରେ ମେସିନ୍ ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। ନିକଟରେ ତାଙ୍କ ପରିବାର ତାଙ୍କ ନିଖୋଜ ହେବା ବିଷୟରେ ଜାଣିବାକୁ ପାଇଥିଲେ। ଆଦର୍ଶଙ୍କୁ ସୁଦାନରେ ଚାଲିଥିବା ଗୃହଯୁଦ୍ଧରେ ସମ୍ପୃକ୍ତ ଏକ ଶକ୍ତିଶାଳୀ ଅର୍ଦ୍ଧସାମରିକ ଗୋଷ୍ଠୀ 'ରାପିଡ୍ ସପୋର୍ଟ ଫୋର୍ସେସ୍' (RSF) ଦ୍ୱାରା ବନ୍ଧୁକ ମୁନରେ ଅପହରଣ କରାଯାଇଛି। ସେମାନେ ତାଙ୍କ ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରି ନେଇଥିବା ତାଙ୍କ ପତ୍ନୀ ସୁସ୍ମିତା ବେହେରା କହିଛନ୍ତି।












Click it and Unblock the Notifications