ଗାଡ଼ି ଚାଲାଣ ଫାଇନ୍ ଅଧା, ୫୦ ପ୍ରତିଶତ କୋହଳ କଲେ ରାଜ୍ୟ ସରକାର
ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ ଚାଲାଣ କଟିଥିଲେ ଫାଇନ୍ କୋହଳ। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। ଫାଇନ୍ ୫୦ ପ୍ରତିଶତ କୋହଳ କଲେ ରାଜ୍ୟ ସରକାର।
୫୦ ହଜାର ବଦଳରେ ଦେବାକୁ ହେବ ୨୫ ହଜାର ଟଙ୍କା । ୧୦ ହଜାର ବଦଳରେ ୫ ହଜାର, ୫ ହଜାର ବଦଳରେ ୨୫୦୦ ଫାଇନ୍ ।

ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଏବଂ ବିନା ବୈଧ ଲାଇସେନ୍ସରେ ଲାଇସେନ୍ସ କଟିଥିଲେ ୫,୦୦୦ ଟଙ୍କା ବଦଳରେ ୨,୫୦୦ ଟଙ୍କା ପୈଠ କରିବେ। ସେହିପରି ବୈଧ ଲାଇସେନ୍ସ ବିନା ଗାଡ଼ି ଚଲାଇ ୫,୦୦୦ ଟଙ୍କାର ଚାଲାଣ କଟିଥିଲେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ।
କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ। ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ଚାଲାଣ କଟିଛି, ଏଥି ପାଇଁ ମୋଟ୍ ପରିମାଣର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ।
ଡ୍ରାଇଭର ଅଥବା ପାସେଞ୍ଜର ବିନା ସିଟ୍ ବେଲ୍ଟରେ ଯାତ୍ରା ସମୟରେ ଚାଲାଣ କଟିଥିଲେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ବାଇକ୍ରେ ଆବଶ୍ୟକତା ଠାରୁ ଅଧିକ ଯାଉଥିବା ଅଭିଯୋଗରେ କଟିଥିବା ଚାଲାଣର ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଦେବାକୁ କୁହାଯାଇଛି। ସେହିପରି ବିନା ହେଲ୍ମେଟ୍ ପିନ୍ଧି ଗାଡ଼ି ଚଳାଉଥିବା ନେଇ ୧,୦୦୦ ଟଙ୍କା ଚାଲାଣ କଟିଥିଲେ ୫୦୦ ଟଙ୍କା ଦେବାକୁ ପଡ଼ିବ ବୋଲି କୁହାଯାଇଛି।
ପରିବହନ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ଜରୁରୀକାଳୀନ କାମରେ ଥିବା ଗାଡ଼ିକୁ ଯିବାକୁ ଦିଆ ନଯିବା କାରଣରୁ ୧୦,୦୦୦ ଟଙ୍କା ଜରିମାନା ହୋଇଥିଲେ, ୫୦୦୦ ଟଙ୍କା ପୈଠ କରିବାକୁ ପଡ଼ିବ। ସେହିପରି ବିନା ବୀମାରେ ପରିବହନ ବିଭାଗ ହାତରେ ଧରାପଡ଼ିବା କାରଣରୁ ୨୦୦୦ ଟଙ୍କା ଜରିମାନା ଲାଗିଥିଲେ ୧୦୦୦ ଟଙ୍କା ଦେବାକୁ ହେବ।












Click it and Unblock the Notifications