ନିଅଣ୍ଟିଆ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା, କହିଲେ କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେଉଛି
ନିଅଣ୍ଟିଆ ବର୍ଷା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗଞ୍ଜାମରେ ୪୦ ପ୍ରତିଶତ ନିଆଣ୍ଟିଆ ବର୍ଷା ହୋଇଛି। ଆଉ କିଛି ଜିଲ୍ଲାରେ ମଧ୍ୟ ନିଅଣ୍ଟିଆ ବର୍ଷା ହୋଇଛି ।
ସେ ଆହୁରି କହିଛନ୍ତି ଯେ ସେପ୍ଟେମ୍ବରରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି କଣ୍ଟିଜେନ୍ସି ପ୍ଲାନ କରାଯାଇଛି । କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି ।
ସେପଟେ ଚଳିତ ଅଗଷ୍ଟର ନିଅଣ୍ଟିଆ ବର୍ଷା ଶହେ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବ । ୧୯୦୧ ପରେ ଚଳିତ ଅଗଷ୍ଟର ନିଅଣ୍ଟିଆ ବର୍ଷା ସର୍ବନିମ୍ନ ଆକଳନ ହୋଇଛି । ଅଗଷ୍ଟ ସରିବାକୁ ୨ ଦିନ ଥିଲା ବେଳେ ସ୍ୱାଭାବିକଠୁ ୩୩% କମ୍ ବର୍ଷା ହୋଇଛି ।

ଅଗଷ୍ଟରେ ସ୍ୱାଭାବିକ ବର୍ଷା ୨୪୧ ମି.ମି ବେଳେ ବର୍ତ୍ତମାନ ସୁଦ୍ଧା ୧୬୦.୩ ମି.ମି. ବର୍ଷା ହୋଇଛି । ୨୦୦୫ରେ ସ୍ୱାଭାବିକଠୁ ୨୫% କମ୍ ଅର୍ଥାତ୍ ୧୯୧.୨ ମି.ମି. ବର୍ଷା ହୋଇଥିଲା ।
ଚଳିତ ଅଗଷ୍ଟର ବର୍ଷା ୧୭୦ରୁ ୧୭୫ ମି.ମି. ମଧ୍ୟରେ ରହିବା ଆକଳନ ହୋଇଛି । ତେଣୁ ପ୍ରଥମ ଥର ପାଇଁ ଅଗଷ୍ଟର ନିଅଣ୍ଟିଆ ବର୍ଷା ୩୦% ଟପିବା ସମ୍ଭାବନା ରହିଛି ।
ଚଳିତ ଅଗଷ୍ଟରେ ଗତ ୧୨୩ ବର୍ଷରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ଚାଷ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବା ଅଗଷ୍ଟ ମାସରେ ବର୍ଷାର ଦେଖାନାହିଁ । ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଓ ଆଉ କିଛି ଅଞ୍ଚଳରେ ବର୍ଷାର ଅସମାନତା ଚାଷ ପାଇଁ ବିପଦ ସୃଷ୍ଟି କରିଛି ।
ରାଜ୍ୟରେ ମୌସୁମୀ ପ୍ରବାହ ପାଖାପାଖି ୧୧ ଦିନ ଦୁର୍ବଳ ରହିଛି । ଏଣେ ଏଭିତରେ ଆଉ ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । କିଛି ମଡେଲ୍ କହୁଛି, ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଯାଇପାରେ । କାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପରିବେଶ ଏବେଠାରୁ ଧୀରେ ଧୀରେ ଅନୁକୂଳ ହେଉଛି । ଏମିତି ଘଟିଲେ ରାଜ୍ୟରେ ଧାନ ଅମଳ କମିବା ସହ ଖରିଫ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ହେବନାହିଁ ।












Click it and Unblock the Notifications