ବାତ୍ୟା ହେବ କି ନାହିଁ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ: SRC
ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପାଣିପାଗ ବିଭାଗ ଆମକୁ ସଠିକ ସୂଚନା ଦେବ । ଅବପାତ ବାତ୍ୟାରେ ରୂପାନ୍ତର ହେବ କି ନାହିଁ କାଲି ଜଣାପଡ଼ିବ ବୋଲି ଏସଆରସି କହିଛନ୍ତି ।
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପାଣିପାଗ ବିଭାଗ ଆମକୁ ସଠିକ ସୂଚନା ଦେବ । ଅବପାତ ବାତ୍ୟାରେ ରୂପାନ୍ତର ହେବ କି ନାହିଁ କାଲି ଜଣାପଡ଼ିବ ବୋଲି ଏସଆରସି କହିଛନ୍ତି । ବାତ୍ୟା ହେବ କି ନାହିଁ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଯଦି ବାତ୍ୟା ହୁଏ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ଏସଆରସି କହିଛନ୍ତି ।

ଅନ୍ୟପଟେ ବାତ୍ୟା ପାଇଁ ୧୮ ଜିଲ୍ଲାକୁ ପ୍ରସ୍ତୁତ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏହି ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ମଧ୍ୟ ସେ ଆଲୋଚନା କରିଛନ୍ତି । ତା ସହିତ ଏନଡିଆରଏଫ୍, ଓଡ୍ରାଫ୍ ଓ ରାଜ୍ୟ ଅଗ୍ନିଶମ ବାହିନୀକୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୧୭ଟି ଏନଡିଆରଏଫ୍, ୨୦ଟି ଓଡ୍ରାଫ୍ ୟୁନିଟ୍ , ୧୭୫ଟି ଅଗ୍ନିଶମ ଟିମ୍ ରହିଥିବା ଏସଆରସି ସୂଚନା ଦେଇଛନ୍ତି । ବିଦ୍ୟୁତ, ପାନୀୟ ଜଳ ଯୋଗାଣ ନେଇ ସଚିବଙ୍କ ସହ ଆଲୋଚନା ହୋଇଛି । ଯାହା ପ୍ରସ୍ତୁତି କରିବା କଥା, ଆମେ କାମ କରୁଛୁ ବୋଲି କହିଛନ୍ତି SRC ।
ତେବେ ସମ୍ଭାବ୍ୟ ବାତ୍ୟା ପାଇଁ କେହି ବି ଭୟଭୀତ ହୁଅନ୍ତୁ ନାହିଁ, ବିଶେଷକରି ଲୋକମାନେ ଭୟଭୀତ ହେଇ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ନେଇ ମହଜୁଦ୍ କରନ୍ତୁ ନାହିଁ ବୋଲି ଏସଆରସି ପରାମର୍ଶ ଦେଇଛନ୍ତି । ଏସଆରସି କହିଛନ୍ତି, ବାତ୍ୟା ହେବ କି ନାହିଁ ସ୍ପଷ୍ଟ ସୂଚନା ନାହିଁ । ଭୟଭୀତ ହେବା ନାହିଁ । ଯଦି ଅଯଥାରେ କେହି ଦରଦାମ ବଢ଼ାଉଥାଏ । କାର୍ଯ୍ୟାନୁଷ୍ଠାନ ନିଆଯିବ । ଏସଆରସି କହିଛନ୍ତି, ଆମେ ୩ଟି ଖରାଟିଆ ବାତ୍ୟା ଫନି, ଅମ୍ଫନ, ୟାସ୍ ପୂର୍ବରୁ ଦେଖିଛେ । ଖରାଦିନେ ବାତ୍ୟା ହେଲେ ବନ୍ୟାଜନିତ ସମସ୍ୟା ସୃଷ୍ଟି ହେବ ନାହିଁ । ଯଦି ବାତ୍ୟା ହୁଏ, ଦିନଟିଏ ବଜାର ବନ୍ଦ ହୋଇପାରେ ।
ସୂଚନାଯୋଗ୍ୟ, ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତାକାଲି ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହାପରେ ବାତ୍ୟା ନେଇ ସଠିକ୍ ଆକଳନ କରି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ, କେତେ ତୀବ୍ର ରହିବ ସେନେଇ ଆସନ୍ତାକାଲି ହିଁ ସଠିକ୍ ଆକଳନ କରିହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି ବୋଲି ସେ କହିଛନ୍ତି ।












Click it and Unblock the Notifications