କ୍ରୀଡ଼ା ପୁରସ୍କାର ନାଁ ବଦଳିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କଲା କ୍ରୀଡ଼ା ବିଭାଗ
ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳିବା ବିଜ୍ଞପ୍ତିକୁ ସୋମବାର କ୍ରୀଡ଼ା ବିଭାଗ ବିଧିବଦ୍ଧ ଭାବେ ପ୍ରତ୍ୟାହାର କରିନେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନର ନାଁ ବଦଳରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ରହିବ ବୋଲି ଗତ ୧୯ ତାରିଖରେ ଏକ ଗାଇଡଲାଇନ ଜାରି ହୋଇଥିଲା। କ୍ରୀଡ଼ା ବିଭାଗର ବିଜ୍ଞପ୍ତି ଅନୁସାରେ, ବିଭାଗ ଦ୍ୱାରା ୨୦୨୩ ଜୁନ୍ ୫ ତାରିଖରେ ଜାରି ହୋଇଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ଗାଇଡଲାଇନ୍ ବଳବତ୍ତର ରହିବ ।
କ୍ରୀଡ଼ା ବିଭାଗ ୨୦୨୪ ଜୁଲାଇ ୧୯ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଗଲା । ୧୯ ତାରିଖର ବିଜ୍ଞପ୍ତିକୁ ଆଜି ପ୍ରତ୍ୟାହାର କରାଯିବା ସମ୍ପର୍କରେ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ଓ ସମସ୍ତ ବିଭାଗକୁ ଅବଗତ କରାଯାଇଛି ।ଗତକାଲି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ ହେବନି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ , ବିଜୁ ବାବୁଙ୍କ ନାଁରେ ଦୀର୍ଘ ବର୍ଷରୁ କ୍ରୀଡ଼ା ପୁରସ୍କାର ଦିଆଯାଇ ଆସୁଅଛି ।

ଏହାର ନାମ ପରିବର୍ତ୍ତନ କଥା ମୁଁ ଆଜି ଗଣମାଧ୍ୟମରୁ ଜାଣିବାକୁ ପାଇଲି । କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ଏବଂ ମୋ ପାଖରେ ବି ସେପ୍ରକାରର କୌଣସି ସୂଚନା ନଥିଲା । ମୋ ସରକାର ଓଡ଼ିଶାର ବରପୁତ୍ରମାନଙ୍କୁ ଯଥୋଚିତ ସମ୍ମାନ ଦିଅନ୍ତି । ବିଜୁ ବାବୁ ନିଜ ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ଓଡ଼ିଶା ପାଇଁ ତଥା ଭାରତ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ । ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବ ପରି ଚାଲୁ ରହିବ । ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବାର ଯୋଜନା ନାହିଁ । ଯେମିତି ଆଗରୁ ଚାଲିଥିଲା ସେମିତି ଚାଲିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ












Click it and Unblock the Notifications