ରାଜ୍ୟରେ ଡାଇରିଆ ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ; ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ
ରାଜ୍ୟରେ ଡାଇରିଆ ନିରାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ । ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ ।
ଏହି ଅଭିଯାନ ଦେଢ଼ ମାସ ଧରି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କୁ ORS ଓ ଜିଙ୍କ୍ ଯୋଗାଇବାକୁ ସବସେଣ୍ଟରକୁ ଦିଆଯାଇଛି। ଯାଜପୁର ଜିଲ୍ଲାରେ ମୃତ ରୋଗୀଙ୍କ ନମୂନାରୁ କଲେରା ଭୂତାଣୁ ମିଳିଛି। ଘାତକ ଭାରିଆଣ୍ଟ ଭିବ୍ରିଓ କଲେରା ଚିହ୍ନଟ ହୋଇଛି ବୋଲି କହିଲେ ସଂଯୁକ୍ତା।

ଯାଜପୁରରେ ଚିନ୍ତା ବଢ଼ାଇଲାଣି ଡାଇରିଆ । ଦିନକରେ ୧୫ଜଣ ନୂଆ ରୋଗୀ ଚିହ୍ନଟ । ମୋଟ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୮ଟି ବ୍ଲକରେ ୧୭୮୭ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଝାଡ଼ାବାନ୍ତି ପରେ ବ୍ୟାପିଛି ହଇଜା । କଲେରା କେସ୍ ଚିହ୍ନଟ ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ନିଦ ହଜିଯାଇଛି ।
କେଉଁ ପରିସ୍ଥିତିରେ ଏତେ ସଂଖ୍ୟାରେ ଲୋକ ଡାଇରିଆରେ ଆକ୍ରାନ୍ତ ହେଲେ ତାର କାରଣ ଖୋଜା ଚାଲିଛି । ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସଚିବ ଆଶ୍ୱଥି ଏସ ପହଞ୍ଚି ମେଡିକାଲ ପରିଦର୍ଶନ କରିଛନ୍ତି । ଯାଜପୁରର ଡାଇରିଆ ଏବେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ମାଡ଼ିବାରେ ଲାଗିଛି । ହଇଜା ଓ ଡାଇରିଆ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାର ବରୀ ଅଞ୍ଚଳରେ ୨ ସପ୍ତାହ ଯାଏ ବନ୍ଦ ରହିଛି ହୋଟେଲ, ଢାବା, ଜଳଖିଆ, ଫାଷ୍ଟଫୁଡ, ମାଛ ଚିକେନ, ଚାଟ, ଗୁପଚୁପ, ପାଣି ପାଉଚ କାରଖାନା ।
ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସଧାରଣରେ ଏହି ନୋଟିସ ଜାରି କରିଛି ବରୀ ତହସିଲ ପ୍ରଶାସନ । ବିନା ଅନୁମତିରେ ଦୋକାନ ଖୋଲିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେହିପରି ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ହଇଜାକୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯିବା ସହ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି ।












Click it and Unblock the Notifications