ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା:ସମୀରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ
ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଏଚ୍ଓଡି ସମୀର ସାହୁଙ୍କ ଜାମିନ ପୁଣି ଖାରଜ ହୋଇଛି। ବାଲେଶ୍ୱର ଜିଲା ଓ ଦୌରାଜଜ୍ ସୋମବାର ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି।
ଅପରପକ୍ଷରେ ସମୀରଙ୍କୁ ରିମାଣ୍ଡରେ ନେବା ପାଇଁ କ୍ରାଇମ୍ବ୍ରାଞ୍ଚ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ଡିଏସ୍ପି ତଥା ମାମଲାର ତଦନ୍ତକାରୀ ଅଧିକାରୀ ଇମାନ୍ କଲ୍ୟାଣ ନାୟକ ଜିଲା ଓ ଦୌରାଜଜଙ୍କ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ଆବେଦନକୁ ମଞ୍ଜୁର କରିବା ସହ ସମୀରଙ୍କୁ ସୋମବାରଠାରୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ୩ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। କ୍ରାଇମ୍ବ୍ରାଞ୍ଚ ଅଧିକାରୀ ଅଭିଯୁକ୍ତ ସମୀରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି।

ଛାତ୍ରୀ ସୌମ୍ୟାଶ୍ରୀ ଏଚ୍ଓଡି ସମୀର ସାହୁଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ। ନ୍ୟାୟ ନ ପାଇ ଗତ ଜୁଲାଇ ୧୨ତାରିଖରେ ସେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏଚ୍ଓଡି ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏସଡିଜେଏମ୍ଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ପରେ ସମୀରଙ୍କ ଓକିଲ ଶ୍ରୀବତ୍ସ ନାୟକ ଗତ ୧ ତାରିଖରେ ବାଲେଶ୍ୱର ଜିଲା ଓ ଦୌରାଜଜ୍ଙ୍କ କୋର୍ଟରେ ପୁଣି ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି ୧୨ ତାରିଖକୁ ରହିଥିଲା। ନିମ୍ନ କୋର୍ଟର କେସ୍ ରେକର୍ଡ ସ୍ଥାନାନ୍ତର ହୋଇ ନ ଥିବା ଓ ପୋଲିସ ସିଡି ଦାଖଲ କରି ନ ଥିବା କାରଣରୁ ଜାମିନ ଆବେଦନର ଶୁଣାଣି ହୋଇ ନ ପାରି ୧୮ ତାରିଖକୁ ଧାର୍ଯ୍ୟ ହୋଇଥିଲା।












Click it and Unblock the Notifications