ବଦଳିଲେ ସୁଧାଂଶୁ ଷଡଙ୍ଗୀ, ଟ୍ୱିନ୍ ସିଟିର ନୂଆ ସିପି ଦାୟିତ୍ୱରେ ସୌମେନ୍ଦ୍ର ପ୍ରିୟଦର୍ଶୀ
ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଭୁବନେଶ୍ୱର: ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ପୂର୍ବରୁ ସେ କ୍ରାଇମବ୍ରାଞ୍ଚର ଏଡିଜି ଭାବେ କାର୍ଯ୍ୟ କରୁଥିଲେ । ତେବେ ୧୯୯୫ ବ୍ୟାଚ୍ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି।
ଦାୟିତ୍ୱ ନେବା ପରେ ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସରକାର ଏତେ ବଡ଼ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି। ଦାୟିତ୍ୱ ସଂପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି। ଟ୍ୱିନ୍ ସିଟିର ନୂଆ ପୋଲିସ କମିଶନର ନିଯୁକ୍ତ ହେବା ପରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଅନ୍ୟପଟେ ପୋଲିସ କମିଶନର ଥିବା ସୁଧାଂଶୁ ଷଡଙ୍ଗୀ ପଦ ଛାଡିଛନ୍ତି । ପୋଲିସ କମିଶନରେ ପଦରେ ରହି ସେବା କରିବାର ସୁଯୋଗ ମିଳିଥିବାରୁ ଟ୍ବିଟ କରି ସେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିପରି କୋଭିଡ୍ ସମୟରେ ଚ୍ୟାଲେଞ୍ଜପୂର୍ଣ୍ଣ ସମୟକୁ ମନେ ପକାଇ ତାହା ତାଙ୍କୁ ସନ୍ତୁଷ୍ଟି ଦେଇଥିବା ଉଲ୍ଲେଖ କରିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।
୧୯୯୦ ବ୍ୟାଚ୍ର ଆଇପିଏସ୍ ଅଫିସର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏବେ ପୋଲିସ ଗୃହ ନିର୍ମାଣ ନିଗମର ସିଏମ୍ଡି ଭାବେ ନୂଆ ନିଯୁକ୍ତି ମିଳିଛି । ସେହିଭଳି ପୋଲିସ ଗୃହ ନିର୍ମାଣ ନିଗମର ସିଏମଡି ଥିବା ୧୯୮୮ ବ୍ୟାଚର ଆଇପିଏସ ଅଫିସର ଏମ୍. ଅକ୍ଷୟଙ୍କୁ ଡିଜି ଫାୟାର ସର୍ଭିସ ଓ ହୋମ୍ ଗାର୍ଡ ଭାବେ ନିଯୁକ୍ତି ମିଳିଛି ।












Click it and Unblock the Notifications