Snana Yatra 2024: କାହିଁକି ହୁଏ ସ୍ନାନ ଯାତ୍ରା ? କେଉଁଠୁ ଆସେ ୧୦୮ ଗରା ସୁବାସିତ ଜଳ ?
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସକାଳୁ ସକାଳୁ ପୁରୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ତଥା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
କାହିଁକି ହୁଏ ସ୍ନାନଯାତ୍ରା ?
ଶାସ୍ତ୍ର ଅନୁଯାୟୀ, ମହାପ୍ରଭୁଙ୍କ ଘୋଷଯାତ୍ରାର ଆଦ୍ୟଯାତ୍ରା ସ୍ନାନଯାତ୍ରା । ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ମୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ । ନୀଳାଦ୍ରି ଗନ୍ଥ ଅନୁସାରେ ଏହି ଦିବସ ହେଉଛି କାଳିଆ ଠାକୁରର ଜନ୍ମଦିବସ ବା ଆବିର୍ଭାବ ଦିବସ, ଯାହାକୁ ରଥଯାତ୍ରାର ଆଦ୍ୟ ପର୍ବ ବା ଆଦ୍ୟଲୀଳା କୁହାଯାଏ । ଜ୍ୟୋଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲେ । ଜ୍ୟୋଷ୍ଠମାସ ପୂର୍ଣ୍ଣମୀରେ ଜାତି, ବର୍ଣ୍ଣ, ନିର୍ବଶେଷରେ ସମସ୍ତେ ମହାପ୍ରଭୁଙ୍କ ପ୍ରଥମ ସ୍ଥାନଲୀଳା ଦର୍ଶନ କରିଥିବାରୁ ଏହି ଲୀଳାକୁ ପତିତପାବନ ଲୀଳା ମଧ୍ୟ କୁହାଯାଏ । ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଶ୍ରୀଜିଉଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ଏହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି ।

କେଉଁଠୁ ଆସେ ୧୦୮ ଗରା ସୁବାସିତ ଜଳ ?
ଶ୍ରୀମନ୍ଦିର ବେଢା ମଧ୍ୟରେ ଦେବୀ ଶୀତଳା ଓ ବାହନ ସିଂହଙ୍କ ମଧ୍ୟରେ ପ୍ରାଚୀନ ସୁନାକୂଅ ଅବସ୍ଥିତ । ଏହାକୁ ଅନେକ ପ୍ରଣୀତ କୂଅ ବୋଲି କୁହନ୍ତି । ଏହି କୂଅର ରକ୍ଷକ ହେଉଛନ୍ତି ମା'ଶୀତଳା । ସିଂହଦ୍ୱାର ପ୍ରବେଶପଥର ଦକ୍ଷିଣ ପଟ ବେଢା ମଧ୍ୟରେ ବିରାଜିତ ପାତାଳ ସମ୍ଭୂତା ମା'ଶୀତଳାଙ୍କର କେବଳ ମସ୍ତକଟି ଦେଖାଯାଏ । କଳିଯୁଗ ଶେଷରେ ଦେବୀ ସଂପୂର୍ଣ୍ଣ ଆବିର୍ଭାବ ହେବେ ବୋଲି ଜନଶ୍ରୁତି ରହିଛି । ଦେବ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସୁନା କୂଅରୁ ପବିତ୍ର ଜଳ ଅଣାଯାଏ ।
ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ ।
ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ ।












Click it and Unblock the Notifications