ଓଡ଼ିଶାରେ କମିଛି ଚୋରା ମଦ କାରବାର, ବଢିଛି ଅବକାରୀ ବିଭାଗର ଆୟ: ପୃଥ୍ୱୀରାଜ ହରିଚନ୍ଦନ
ବ୍ୟାପକ ଧରପଗଡ଼ କାରଣରୁ ରାଜ୍ୟରେ ଚୋରାମଦ କାରବାର ପ୍ରାୟ ୫୦ ପ୍ରତିଶତ କମିଛି । ପରିଣାମ ସ୍ୱରୂପ ଅବକାରୀ ରାଜସ୍ବ ବାବଦୀୟ ଆୟ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ଚୋରା କାରବାର ରୋକିବା ଲାଗି ଅବକାରୀ ବିଭାଗକୁ ଆହୁରି ସଶକ୍ତ କରାଯିବ, ପ୍ରତେକ ଅଧିକାରୀ ଓ କର୍ମଚାରୀଙ୍କୁ ବନ୍ଧୁକ ପ୍ରଶିକ୍ଷଣ ଦିଆଯିବ । ସେହିପରି ଅଦାଲତି ମାମଲା ଗୁଡିକର ସୁପରିଚାଳନା ପାଇଁ ଜିଲ୍ଲା ଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ସରକାରୀ ଓକିଲ ନିଯୁକ୍ତ କରିବା ଲାଗି ତାଙ୍କ ବିଭାଗ ନିଷ୍ପତ୍ତି ନେଇ ସରିଛି ବୋଲି ଶୁକ୍ରବାର କଟକରେ ଆୟୋଜିତ ସମୀକ୍ଷା ବୈଠକରେ କହିଛନ୍ତି ରାଜସ୍ବ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

କର୍ମଚାରୀଙ୍କୁ ଦିଆଯିବ ବନ୍ଧୁକ ଚାଳନା ପ୍ରଶିକ୍ଷଣ:
ରାଜ୍ୟରେ ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ହେଲେ ଅବକାରୀ ବିଭାଗ ଆହୁରି ସଶକ୍ତ ହେବା ଆବଶ୍ୟକ। ତେଣୁ ବିଭାଗର ପ୍ରତି ଅଧିକାରୀ ଏବଂ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ପାଇଁ ପ୍ରଶିକ୍ଷଣ ଦିଆଯିବ।
ବଢିଛି ଅବକାରୀ ବିଭାଗର ଆୟ:
ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କଟକ ଅବକାରୀ ଆଯୁକ୍ତ କାର୍ଯ୍ୟାଳୟରେ ଶୁକ୍ରବାର ବିଭାଗର ତ୍ରୈମାସିକ ସମୀକ୍ଷା କରିଛନ୍ତି । ଗତ ୧ ବର୍ଷ ଭିତରେ ରାଜ୍ୟ ବ୍ୟାପି ବ୍ୟାପକ ଚଢ଼ାଉ କରାଯାଇଛି । ପରିଣାମ ସ୍ୱରୂପ ଅବକାରୀ ବିଭାଗର ରାଜସ୍ବ ପ୍ରାୟ ୨୦ ପ୍ରତିଶତ ବଢିଛି। ଯେହେତୁ ଅବକାରୀ ଧରପଗଡ଼ ଅଧିକ କରାଯାଉଛି, ସେହି ଅନୁସାରେ ଅନେକ ଅଘଟଣ ମଧ୍ୟ ଘଟୁଛି । ତେଣୁ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ କରାଯାଉଥିବା କହିଛନ୍ତି ମନ୍ତ୍ରୀ ।
ଆଇନ ଅଦାଲତରେ ଅବକାରୀ ମାମଲା ଗୁଡିକର ସୁପରିଚାଳନା ପାଇଁ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ପିପି ନିଯୁକ୍ତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି, ତଦ୍ ବ୍ୟତୀତ ହାଇକୋର୍ଟରେ ମଧ୍ୟ ମାମଲା ପରିଚାଳନା ପାଇଁ ସ୍ୱତନ୍ତ୍ର ଓକିଲ ନିଯୁକ୍ତ କରିବା ଲାଗି ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଅବକାରୀ ମନ୍ତ୍ରୀ । ପୂର୍ବତନ ଅବକାରୀ କମିଶନର IPS ନରସିଂହ ଭୋଳଙ୍କ ବଦଳି ହେବା ପରେ କେହି ସ୍ଥାୟୀ ଅଧିକାରୀ ନିଯୁକ୍ତ ହୋଇନାହାଁନ୍ତି । ଯାହା ଉପରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।












Click it and Unblock the Notifications