ଦେବ ବିବାହ ସମ୍ପନ୍ନ: କଟକଣା ଭିତରେ ଚାଲିଛି ଯୁଗଳ ଦର୍ଶନ
କରୋନା କଟକଣା ଭିତରେ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ୟକ୍ରମ । ଏହା ପରେ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଗଳ ଦର୍ଶନ ।
ସମ୍ୱଲପୁର: କରୋନା କଟକଣା ଭିତରେ ସମ୍ପନ୍ନ ହେଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ୟକ୍ରମ । ମାଆ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଲଗ୍ନ ଅନୁସାରେ ରାତି ୩ଟାରେ ସମ୍ପର୍ଣ୍ଣ ହୋଇଛି ଦେବ ବିବାହ । ଏହା ପରେ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଗଳ ଦର୍ଶନ ।

ତେବେ ବାହାଘର ପରେ ଦେବ ଦମ୍ପତିଙ୍କ ବିବାହ ମଣ୍ଡପରେ ଯୁଗଳମୂର୍ତୀ ଦର୍ଶନ ଦେଉଥିବା ବେଳେ ସନ୍ଧ୍ୟାରେ କନ୍ୟା ପିତା ମାତା ଝିଅକୁ ବିଦାୟ ଦେବେ । ଅନ୍ୟ ବର୍ଷ ରାତିରୁ ଶୋଭାଯାତ୍ରା ବାହାରୁ ଥିବା ବେଳେ କରୋନା କଟକଣା ଯୋଗୁଁ ଏବର୍ଷ ଶୋଭାଯାତ୍ରା ବନ୍ଦ ରହିଛି । କେବଳ ବିଧିରକ୍ଷା ପାଇଁ ବିବାହ ମଣ୍ଡପରୁ ଅନ୍ୟ ଏକ ମଣ୍ଡପକୁ ଯାଇ ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଯୁଗଳମୂର୍ତୀ ଦର୍ଶନ ଦେବା ସହ ସନ୍ଧ୍ୟା ସମୟରେ ମନ୍ଦିରକୁ ପ୍ରବେଶ କରିବେ ।
ସେହିପରି ସମ୍ପର୍ଣ୍ଣ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ଦେବ ଦମ୍ପତି ମହାଦେବ ଲିଙ୍ଗରାଜ ଓ ମା' ଗୌରୀଙ୍କ ବିବାହ ପାଇଁ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । କରୋନା ଯୋଗୁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ହୋଇଛି ମହାଦେବଙ୍କ ବିବାହ ଉତ୍ସବ।
ଗାଇଡଲାଇନ ଅନୁସାରେ ୨୫ଜଣ ସେବାୟତରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି। ମହାପ୍ରଭୁ ମାନବୀୟ ଢଙ୍ଗରେ ବଡ଼ସିଂହାର ବେଶରେ ବାହାରି ମା' ଗୌରୀଙ୍କୁ କେଦାରଗୌରୀ ଠାରେ ବିବାହ କରିଛନ୍ତି। ବରଯାତ୍ରୀ ସହ ଟ୍ରିସାଖା, ମଶାଲ, କଳା ଛତା, ଧଳା ଛତା ଓ ଘଣ୍ଟ ଘଣ୍ଟି ତୂରୀ ନାଦରେ ବିବାହ ବେଦିରେ ପହଞ୍ଚିଥିଲେ ବାବା ଲିଙ୍ଗରାଜ। ସେଠାରେ ପ୍ରଭୁ ଲିଙ୍ଗରାଜଙ୍କୁ ବାଟ ବରଣି କରାଯାଇ ବିବାହ ବେଦୀକୁ ନିଆଯାଇଥିଲା। ପରେ ସମସ୍ତ ରୀତିନୀତି ଅନୁସାରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ କରାଯାଇଛି।












Click it and Unblock the Notifications