ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ମାମଲା ; ପାକିସ୍ତାନ ସହ ଏହି ସବୁ ଦେଶରୁ ଆସୁଥିଲା ଫୋନ, ଘଟଣା ପଛରେ ଇଣ୍ଟରନ୍ୟାସନାଲ୍ ଲିଙ୍କ
ଭୁବନେଶ୍ୱରରୁ ସିମ୍ ବକ୍ସ ଜବତ ଘଟଣାରେ ରହିଛି ଇଣ୍ଟରନ୍ୟାସନାଲ୍ ଲିଙ୍କ । ଏହି ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ ଆସୁଥିବା କଲ୍କୁ ପରିବର୍ତ୍ତନ କରାଯାଇ ଭାରତ ଭିତରକୁ ଛଡ଼ା ଯାଉଥିଲା। ସାଇବର ଫ୍ରଡ୍, ଆତଙ୍କବାଦୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା।' ଆଜି ଗଣମାଧ୍ୟମ ସମ୍ମୁଖରେ ଏପରି ସାଂଘାତିକ ଖୁଲାସା କରିଛନ୍ତି ଭୁବନେଶ୍ୱର ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା।

ଏହା ଏକ ସାଂଘାତିକ ଘଟଣା ହୋଇଥିବା ବେଳେ ଏଥିରେ ଗତକାଲି ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ଗିରଫ କରାଯାଇଛି। ମାତ୍ର ଏହି ପୂରା ମାମଲାର ମାଷ୍ଟର ମାଇଣ୍ଡ ହେଉଛି ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ।
ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦ୍ଦୁର ଜମାନ। ଭୁବନେଶ୍ୱର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା। କେଶୁରାରେ ଭଡ଼ା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ। ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା।
ଗତକାଲି ହୋଇଥିବା ଚଢ଼ାଉରେ ୫ଟି ଅପରେସନାଲ ସିମ୍ ବକ୍ସ ମିଳିଛି । ପ୍ରାୟ ୧ ହଜାର ସିମ୍ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ଅଛି। ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି।
ସେ କହିଛନ୍ତି, ଏହି ସିମ୍ ବକ୍ସ ଜରିଆରେ ଅପରାଧୀ କେଉଁ ଦେଶରୁ କଲ୍ କରିଛି, ତାହା ଜଣାପଡ଼ିବନି। ବାହାର ଦେଶରୁ କଲ୍ ଆସିଲେ ବି ଲୋକାଲ ସିମ୍ ଜରିଆରେ ଆସିବ । ବାହାର ଦେଶର ଅପରାଧୀ ଭାରତରେ ଅପରାଧ ଘଟାଇବା ନିମନ୍ତେ ଏହାକୁ ବ୍ୟବହାର କରିଥାନ୍ତି। ଆତଙ୍କବାଦୀ, ସାଇବର ଫ୍ରଡ, ଡ୍ରଗ୍ସ ଚାଲାଣ ନିମନ୍ତେ ଏହାକୁ ବ୍ୟବହାର କରାଯାଇଥାଏ।












Click it and Unblock the Notifications